ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତକିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ସିଏଏକୁ ନେଇ ହିଂସାକାଣ୍ଡ ଦେଖାଯାଇଛି । ଏଥିରେ ୧୩ ଜଣଙ୍କ ଜୀବନ ଚାଲିଗଲାଣି । ଏହି ହିଂସାକାଣ୍ଡ ସୃଷ୍ଟି କରିଥିବା ଲୋକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଶତଧିକ ଜେଏନୟୁ ଓ ଜାମିଆ ଛାତ୍ରାଛାତ୍ରୀ ମାନେ ଗତକାଲି ଠାରୁ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଗତକାଲି ମଧ୍ୟ ରାତିରୁ ଏହି ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଆଜି ସକାଳୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ କରି ସେମାନଙ୍କୁ ବଳପୂର୍ବକ ଭାବେ କେଜ୍ରିୱାଲଙ୍କ ଘର ସମ୍ନାରୁ ହଟାଇ ଦେଇଛନ୍ତି । ଖାଲି ଛାତ୍ରଛାତ୍ରୀ ନୁହେଁ ଏହି ବିକ୍ଷୋଭରେ ସଧାରଣ ଜନତା ମଧ୍ୟ ସାମିଲ ଥିବାର ସୂଚନା ମିଳିଛି ।
ସୂଚନା ଯୋଗ୍ୟ ମୁହାଁମୁହିଁ ସିଏଏକୁ ନେଇ ଦିଲ୍ଲୀରେ ପ୍ରତିଦିନ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ବିରୋଧି ଓ ସପକ୍ଷବାଦୀଙ୍କ ମୁହାଁମୁହିଁ ପରିସ୍ଥିତି ଯୋଗୁ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆଜି ଉତ୍ତର ପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି । ଆଜି ଏହି ଅଞ୍ଚଳର ଜିଲ୍ଲା ଗୁଡିକରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିଛି । ଅନ୍ୟପଟେ ଆଜି ସିବିଏସଇ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।
ଦିଲ୍ଲୀ ଉତ୍ତରପୂର୍ବ ଅଞ୍ଚଳରେ ୧୨ ପ୍ଲାଟୁନ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଏକ ମାସ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଗତକାଲି ରାତି ୧୨ ଟା ୩୦ ରେ ଦିଲ୍ଲୀ ହାଇକୋର୍ଟ ବିଚାପତି ଏସ. ମୂରଲିଧରଙ୍କ ବାସ ଭବନରେ ଏକ ଜରୁରୀ ଶୁଣାଣୀ ହୋଇଥିଲା । ଅନ୍ୟପଟେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।