ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ):ଜାମ୍ମୁକାଶ୍ମୀରରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ପୂର୍ବରୁ ଜାମ୍ମୁକାଶ୍ମୀରରେ ଅତିରିକ୍ତ ସେନା ହେବା ପରେ କିଛି ବଡ ଆଶଙ୍କା କରା ଯାଉଥିଲା । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା । ତେବେ ଗତକାଲି ସ୍ଥିତି ଆହୁରି ଗମ୍ଭୀର ହୋଇ ପଡିଛି । ଗତକାଲି ଶିକ୍ଷାଅନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ ଘୋଷଣା ହୋଇଥିବା ବେଳେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସେହିଭଳି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ବରିଷ୍ଠ ନେତା ସଜଦ ଲୋନଙ୍କୁ ଗୃହ ବନ୍ଦୀ କରି ରଖାଯାଇଛି ।
କଂଗ୍ରେସ ନେତା ଉସ୍ମାନ ମଜିଦ ଏବଂ ଭାରତୀୟ ମାର୍କସିଷ୍ଟ୍ କମ୍ୟୁନିଷ୍ଟ୍ ପାର୍ଟିର ବିଧାୟକ ଏମ୍ଓ୍ଵାଇ ତାରିଗାମିଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟ ରାତ୍ରିରେ ସରକାର କଟକଣା ଜାରି କରିଛନ୍ତି । ଜରୁରୀ କାଳିନ ସେବାକୁ ଛାଡି ଦେଲେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି ।
ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟକ ସ୍ଥାନୀୟ ପୁଲିସ ଏବଂ ପାରାମିଲିଟାରି ଫୋର୍ସଙ୍କୁ ମୁତୟନ କରାଯାଇଛି। ସେହିଭଳି ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପ୍ରଶାସନ ଅମରନାଥ ଯାତ୍ରୀ ଏବଂ ପର୍ୟ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ି ଚାଲିଯିବାକୁ କହିବାର ଗୋଟିଏ ଦିନ ପରେ (ଶନିବାର) ଜମ୍ମୁ ଓ କଶ୍ମୀର ସରକାର ଶ୍ରୀନଗରସ୍ଥିତ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ଅଧ୍ୟୟନ କରୁଥିବା ଅଣ-ଆଞ୍ଚଳିକ ଛାତ୍ରମାନଙ୍କୁ ସ୍ଥାନାନ୍ତର କରାଯାଇଛି ।