କାଶ୍ମୀର (ଏଟିଆର ବ୍ୟୁରୋ ) ; ଜଣେ ପୋଲିସ ଅଫିସରଙ୍କ ଜୀବନ ନେଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ୱାହିବଗ୍ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳି ପ୍ରାଣ ହରାଇଛନ୍ତି ଜଣେ ପୋଲିସ ସବ୍ ଇନ୍ସପେକ୍ଟର । ମୃତ ପୋଲିସ ଅଧିକାରୀଙ୍କର ନାମ ଇମତିୟାଜ ଅଲ୍ଲୀ ବୋଲି ଜଣାପଡିଛି । ସେ ଗତକାଲି ଅପରାହ୍ନ ୪.୩୦ ସମୟରେ ଏକ କାର ଯୋଗେ ଯାଉଥିବା ବେଳେ ତାଙ୍କ ଉପରକୁ ହଠାତ ଆତଙ୍କବାଦୀ ମାନେ ଗୁଳି ମାଡ କରିଥିଲେ । ଏଥିରେ ଘଟଣା ସ୍ଥଳରେ ହିଁ ଇମତିୟାଜଙ୍କ ମୃତ୍ୟୁ ହୋଇଥିଲା । ତେବେ ଇମତିୟାଜ କାଶ୍ମିର ପୋଲିସର ସିଆଇଡି ବିଭାଗରେ କାମ କରୁଥିବା ଜଣାପଡିଛି ।
ସେପଟେ ଆତଙ୍କବାଦୀଙ୍କ ଟାର୍ଗେଟ ରେ ରହିଛନ୍ତି ପୋଲିସ । ପୂର୍ବରୁ ଗତମାସରେ ୩ ଜଣ ପୋଲିସ ଅଧିକାରୀଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ସେ ସମସ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା ମଧ୍ୟ କରିଥିଲେ ଆତଙ୍କୀ ସଂଗଠନର ସଦସ୍ୟ । ପରେ ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଏପରିକି ଭାରତ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ ଆଲୋଚନା ମଧ୍ୟ ବାତିଲ ହୋଇଥିଲା । ସେମାନେ ଏହି ପୋଲିସ ଅଧିକାରୀଙ୍କୁ ହତ୍ୟା କରି ପ୍ରଶାସନକୁ ଅସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କୀ ସଂଗଠନ ପୂର୍ବରୁ ଏସପିଓ ଓ କାଶ୍ମୀର ପୋଲିସକୁ ବହୁବାର ଧମକାଇଛନ୍ତି । ଏପରିକି ପୋଲିସ ଅଧିକାରୀଙ୍କୁ ନିଜ ଚାକିରି ଛାଡିବା ପାଇଁ ମଧ୍ୟ ଧମକ ଦେଇଛନ୍ତି ଅତଙ୍କୀ । ଏବେ କାଶ୍ମିରରେ ସୁରକ୍ଷା ବ୍ୟବସ୍ତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସୀମାପାର ହୋଇ ପାକିସ୍ତାନ ପଟୁ ବହୁ ଆତଙ୍କୀ ଭାରତର ସୀମାରେ ପ୍ରବେଶ କରୁଥିବାରୁ ଏହା ଭାରତୀୟ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢାଇଛି ।