ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଆସନ୍ତାକାଲି ରହିଛି ଅନ୍ତିମ ଦିନ । ଆସନ୍ତାକାଲି ଅନ୍ତିମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଭରିବେ । ଆଜି କେଜ୍ରିୱାଲ ନାମାଙ୍କନ ଭରିବାକୁ ଯାଇଥିଲେ ସୁଦ୍ଧା ରୋଡ ଶୋରେ ଡେରି ହେବାରୁ ସେ ନାମାଙ୍କନ ଭରି ପାରି ନାହାନ୍ତି । ତେଣୁ ସେ ଆସନ୍ତା କାଲି ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ କେଜ୍ରିୱାଲ ଆଜି ତାଙ୍କ ମା ଙ୍କ ଆଶିର୍ବାଦ ନେଇ ନାମାଙ୍କନ ଭରିବାକୁ ଯାଇଥିଲେ ମାତ୍ର ରୋଡ ଶୋ ଚାଲିଥିବା ବେଳେ ଆଜି ତାଙ୍କୁ ତାଙ୍କ ସମର୍ଥକ ମାନେ ଘେରି ଯାଇଥିଲେ ।
ଯାହା ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ନାମାଙ୍କନ ଭରିବାକୁ ସକ୍ଷମ ହୋଇନଥିଲେ । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ପକ୍ଷରୁ ୧୦ ଟି ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି । ଯେଉଁଥିରେ ଭୋଟରଙ୍କୁ ଦଳପ୍ରତି ଆକୃଷ୍ଟ କରିବାକୁ ଚଷ୍ଟା କରାଯାଇଛି । ସେଥି ମଧ୍ୟରେ ରହିଛି ଟ୍ୟାପ ଯୋଗେ ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟିଆ ପାଣି ଯୋଗାଣ ବ୍ୟବସ୍ଥା, ପ୍ରଦୂଷଣ ହ୍ରାସ କରିବା, ଦିଲ୍ଲୀର ପ୍ରତ୍ୟକ ଶିଶୁକୁ ବିଶ୍ୱ ସ୍ତରୀୟ ଶିକ୍ଷା ପ୍ରଦାନ, ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇବା, ଯମୁନା ନଦୀର ସଫେଇ ଆଦି ରହିଛି । ଫେବୃଆରୀ ୮ ରେ ଦିଲ୍ଲୀରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ଅନୁଷ୍ଠିତ ହେବ ।