ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗତକାଲି ଉପରାଜ୍ୟପାଳ କେଜ୍ରିୱାଲଙ୍କ ସମେତ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀଭାବେ ଗୋପନୀୟତାର ଶପଥ ପାଠ କରାଇଥିଲେ । ତେବେ ଆଜି ଅରବିନ୍ଦ କେଜ୍ରିୱାଲ ତାଙ୍କ ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି । କେବଳ ଗୋଟିଏ ବିଭାଗ ଛାଡିଦେଲେ ଅନ୍ୟ ବିଭାଗ ଗୁଡିକ ପୂର୍ବରୁ ଯାହା ରହିଥିଲା ସେଇଆ ରହିଛି । ସୂଚନା ଅନୁସାରେ ମନ୍ତ୍ରୀ ସତେନ୍ଦ୍ର କୁମାର ଜୈନଙ୍କୁ ଦିଲ୍ଲୀ ଜଲ ବୋର୍ଡର ଦାୟିତ୍ୱ ଦିଆଯାଇଛି । କେଜ୍ରିୱାଲ ନିଜ ହାତରେ କୌଣସି ବିଭାଗ ରଖି ନଥିବା ଜଣା ପଡିଛି । ଆଜିଠାରୁ ମନ୍ତ୍ରୀମାନେ ନିଜନିଜ ବିଭାଗର ଦାୟିତ୍ୱ ନେଇଛନ୍ତି ।
ସୂଚନାଯୋଗ୍ୟ ଆମ ଆଦମି ଦଳ ଦିଲ୍ଲୀର ୭୦ ଟି ବିଧାନସଭା ଆସନରୁ ୬୨ ଟିରେ ବିଜୟ ଲାଭ କରି ସରକାର ଗଢିଛି । ଗତକାଲି ରାମଲୀଲା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେଜ୍ରିୱାଲ କହିଛନ୍ତି ଗ୍ୟାରେଣ୍ଟି କାର୍ଡ ଓ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବା ପାଇଁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । କେଜ୍ରିୱାଲ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ଏହି ବିଜୟ ମୋର ନୁହେଁ । ବିଜୟ ପୁରା ଦିଲ୍ଲୀ ବାସୀଙ୍କର । ଯିଏ ମୋତେ ଭୋଟ ଦେଇଛନ୍ତି ଏବଂ ନ ଦେଇଛନ୍ତି ମୁଁ ଏବେ ସମସ୍ତଙ୍କ ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ କେନ୍ଦ୍ର ସରକାରଙ୍କ ସହିତ ଆମେ ମିଶିକି କାମ କରିବୁ । ଦିଲ୍ଲୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦରକାର ।