ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ଏଥିରୁ ବର୍ତ୍ତିବାକୁ ହେଲେ ସାମାଜିକ ଦୂରତା ବଜାୟ ରଖିବା ସହ ସଚେତନତା ହିଁ ଏକମାତ୍ର ରାସ୍ତା । ଭ୍ୟାକସିନ ନ ଆସିବା ପର୍ଯ୍ୟନ୍ତ କରୋନାରେ ବ୍ରେକ ଲାଗିବା ସମ୍ଭବ ନୁହେଁ । ତେବେ ଏହି ଭିତରେ ଏବେ ସରକାର ବାହାଘର, ଅନ୍ତିମ ସସ୍କାର ଭଳି କିଛଇ ଜରୁରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ସହ ଅନୁମତି ଦେଉଛନ୍ତି ।
ମାତ୍ର ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଏହାକୁ ମାନୁ ନାହାନ୍ତି ଅନେକ ଅମାନିଆ । ନିଜର ଅମାନିଆ ପଣ ପାଇଁ ନିଜେ ଭୋଗୁଛନ୍ତି ଅନ୍ୟକୁ ଭୋଗାଉଛନ୍ତି । ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳର କାଶରଗୋଡ ଜିଲ୍ଲାରେ । ଏଇ ନିକଟରେ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ୪୭ ଅତିଥିଙ୍କ ସହିତ ବର କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମର ଖବର ମୁତାବକ ଏହି ଜିଲ୍ଲାର ଏକ ପଞ୍ଚାୟତରେ ଗତ ୧୭ ତାରିଖରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୦୦ ରୁ ଅଧିକ ଅତିଥି ଯୋଗ ଦେଇଥିଲେ । ଏବେ ସେଇ ଅତିଥିମାନଙ୍କ ନମୂନା ପରୀକ୍ଷଣ କରାଯିବାରୁ ଜାଣିବାକୁ ମିଳିଛି ବର କନ୍ୟା ସମେତ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ବର ପିତାଙ୍କ ନାମରେ ଥାନାରେ କୋଭିଡ ନିୟମ ଉଲ୍ଲଘଂନ କରିଥିବା ମାମଲା ରୁଜୁ ହୋଇଛି ।