ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧାରା ୩୭୦ ପରେ ନାଗରିକତା ସଂଶୋଧନ ବିଧେୟକ ମାନେ ସିଏବି ଏଭଳି ଏକ ବିଲ, ଯାହାକୁ ନେଇ ସଂସଦରେ ଜୋରଦାର ହଙ୍ଗମା ହେଉଛି । କେବଳ ଏତିକି ନୁହେଁ ଆସାମ ସମେତ ପୂରା ପୂର୍ବ ଭାରତ ଏହାକୁ ନେଇ ଜବରଦସ୍ତ ବିରୋଧ ପ୍ରଦର୍ଶନ କରୁଛି । ଏହା ପରେ ମୋଦି ସରାକର ଏହି ବିଲ୍ ଆଣିବା ପାଇଁ ଅଡି ବସିଛନ୍ତି । ଚଳିତ ବର୍ଷ ଜାନୁଅ।ରୀ ମାସରେ ଏହି ବିଲ୍ କୁ ଆଗତ କରାଯାଇଥିଲା, ଏହାପରେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିଲା । କିନ୍ତୁ ଏହା ରାଜ୍ୟ ସଭାରେ ଅଟକି ଯାଇଥିଲା ।
ଏହି ବିଲ୍ କୁ ନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି । ଏହି ବିଲ୍ ଦ୍ୱାରା ଦେଶରୁ ପ୍ରବେଶକଙ୍କୁ ବାହାରକୁ ବାହାର କରିବାର ସଠିକ୍ ଉପାୟ ବୋଲି ସରକାର କହୁଛନ୍ତି । ସେହିପରି ଅନ୍ୟପଟେ ବିପକ୍ଷ ଦଳ ଏହାକୁ ଧର୍ମ ଆଧାରରେ ନାଗରିକତା ଦେବାର ପ୍ରାବଧାନ ବୋଲି କହୁଛନ୍ତି ।
ଅନ୍ୟଦେଶରୁ ଦେଶରେ ପ୍ରବେଶ କରୁଥିବା ନାଗରିକଙ୍କୁ ଦେଶରୁ ବାହାର କରିବା ପାଇଁ ସର୍ବପ୍ରଥମେ ଆସାମରେ ଏନଆରସି ମାନେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ଉପରେ କାମ କରାଯାଇଛି । କିନ୍ତୁ ଏନଆରସି ତାଲିକାରେ ଏଭଳି ଅନେକ ଲୋକଙ୍କୁ ବାହାର କରାଯାଇଛି । ଏହି ସମସ୍ୟାରୁ ଛୁଟ୍ ପାଇବା ପାଇଁ କେନ୍ଦ୍ର ସରକାର ସଂସଦରେ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଛନ୍ତି ।
ନାଗରିକତା ସଂଶୋଧନ ବିଧେୟକରେ ନାଗରିକତା ଆଇନ, ୧୯୫୫ରେ ସଂଶୋଧନର ପ୍ରାବଧାନ ରହିଛି । ସେହି ଅନୁଯାୟୀ ଆଫଗାନିସ୍ତାନ,ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍, ବୈଦ୍ଧ, ଜୈନ, ପାର୍ସି ଏବଂ ଇସାଇ ଧର୍ମର ପ୍ରବାସୀଙ୍କୁ ଭାରତର ନାଗରିକତା ଦିଆଯିବ । ଏଥିରେ ଭାରତର ନାଗରିକତା ହାସଲ କରିବା ପାଇଁ ଭାରତରେ ରହିବାର ଅନିବାର୍ଯ୍ୟତା ୬ ବର୍ଷ ରହିଛି କିନ୍ତୁ ଏହା ଏବେ ୧୧ ବର୍ଷ କରାଯାଇଛି ।
ସର୍ବପ୍ରଥମେ ଏହି ବିଧେୟକକୁ ୨୦୧୬ ମସିହା ଜୁଲାଇ ମାସ ୧୯ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା । ଏହାପରେ ଅଗଷ୍ଟ ୧୨ ତାରିଖରେ ଏହାକୁ ସଂଯୁକ୍ତ ସଂସଦୀୟ କମିଟି ପାଖକୁ ପଠାଗଲା । କମିଟି ପକ୍ଷର ୨୦୧୯ ମସିହା ଜାନୁଆରୀ ୭ ତାରିଖରେ ରିପୋର୍ଟ ଦିଆଯାଇଥିଲା । ଏହାପରେ ଜାନୁଆରୀ ୮ରେ ଏହାକୁ ଲୋକସଭାରେ ଆଗତ କରାଯାଇଥିଲା । କିନ୍ତୁ ସେହି ସମୟରେ ଏହି ବିଲ୍ ରାଜ୍ୟ ସଭାରେ ଆଗତ ହୋଇ ପାରିନଥିଲା ।