ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାକିରିଆଙ୍କ ପାଇଁ ଖୁସି ଖବର । ଆଜ୍ଞା ହଁ ଭବିଷ୍ୟ ନିଧି ପାଣ୍ଠି (ପିଏଫ୍ ଆକାଉଣ୍ଟ) ଉପରେ ଅଧିକ ସୁଧ ମିଳିବାର ରାସ୍ତା ଏବେ ସଫା ହୋଇ ଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ମୁତାବକ, ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ୮.୬୫ ପ୍ରତିଶତ ସୁଧ ମିଳିବ । ସେଥିପାଇଁ ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ହୋଇଯାଇଛି । ଏହାସହିତ ସୁଧକୁ ନେଇ ଶ୍ରମ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ସହମତି ହୋଇଛି । ଖୁବ୍ ଶୀଘ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯିବ । ଏହାର ଫାଇଦା ସିଧାସଳଖ ୬ କୋଟି ଖାତାଧାରକଙ୍କୁ ମିଳିବ ।
ପିଏଫ୍ ର ସୁଧ ଦରକୁ ନେଇ ଦୀର୍ଘ ଦିନ ହେବ ଅର୍ଥମନ୍ତ୍ରାଳୟ ଏବଂ ଶ୍ରମ ମନ୍ତ୍ରାଳୟ ମଧ୍ୟରେ ସହମତି ହୋଇପାରୁନଥିଲା । ମାତ୍ର ନିକଟରେ ଏହି ଦୁଇ ମନ୍ତ୍ରାଳୟର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକ ସୁଧ ଦେବାକୁ ନେଇ ସହମତି ହୋଇଛି । ଏହାସହିତ ଖୁବ୍ ଶୀଘ୍ର ନୋଟିସ୍ ଜାରି କରାଯିବ ।
ସୂଚନାଯୋଗ୍ୟ, ଇପିଏଫଓ ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପିଏଫ ଉପରେ ସୁଧ ଦରକୁ ୮.୫୫ ପ୍ରତିଶତକୁ ବଢାଇ ୮.୬୫ ପ୍ରତିଶତ କରିବା ପାଇଁ ସୁପାରିଶ କରାଯାଇଥିଲା ।