ଗୁଜୁରାଟ (ଏଟିଆର ବ୍ୟୁରୋ ) ; ସଚିବାଳୟରେ ଚିତାବାଘ । ସବୁଠୁ ସୁରକ୍ଷିତ ତଥା ୨୪ ଘଣ୍ଟା ଧରି ସୁରକ୍ଷା ବଳୟ ମଧ୍ୟରେ ଥିବା ସଚିବାଳୟରେ ଚିତାବାଘ କରୁଛି ତାଣ୍ଡବ । ବନବିଭାଗ ତଥା ସୁରକ୍ଷାକର୍ମୀଙ୍କୁ ନାକେଦମ କଲାଣି ଚିତାବାଘ । ଏଭଳି ଅଭାବନୀୟ ଘଟଣା ଗୁଜୁରାଟର ଗାନ୍ଧିନଗର ସଚିବାଳୟରେ ଦେଖିବାକୁ ମିଳିଛି ।
ଗତକାଲି ରାତି ପ୍ରାୟ ୧.୫୩ ମିନିଟ ସମୟରେ ଚିତାବାଘଟି ସଚିବାଳୟର ଗେଟ ମଧ୍ୟରେ ପ୍ରବେଶ କରୁଥିବାର ସିସିଟିଭିରେ ଦେଖାଯାଇଥିଲା । ଏହାକୁ ନେଇ ଏବେ ପୁରା ସଚିବାଳୟ ସମେତ ବିଧାନସଭା , ରାଜଭବନ ଓ ମୂଖ୍ୟମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷାକର୍ମୀମାନଙ୍କ କଡା ନଜର ରହିଛି । ଚିତାବାଘକୁ ଧରିବା ଲାଗି ବନବିଭାଗ ଘଟଣାସ୍ଥଳରେ ପଇନ୍ତରା ମାରୁଛି । ଚିତାକୁ ଧରିବା ନିମନ୍ତେ ଫାସ ମଧ୍ୟ ବସାଇ ସାରିଛି । ହେଲେ ଚିତାବାଘକୁ ଧରିବାରେ ଏଯାଏଁ ସଫଳ ହୋଇପାରିନି ବନବିଭାଗ ।
ସ୍ଥ।ନୀୟ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅପରେସନ ଚାଲୁରହିଛି । ବିଧାନସଭା ତଥା ସଚିବାଳୟର କାର୍ଯ୍ୟ ବାତିଲ କରାଯାଇଥିବା ବେଳେ ସଚିବାଳୟ ମଧ୍ୟକୁ କାହରିକୁ ଛଡାଯାଇନାହିଁ । ସେପଟେ ଚିତାବାଘଟି କେଉଁଠୁ ଆସିଛି ସେ ବିଷୟରେ କିଛି ଜଣାପଡିନାହିଁ । ଗାନ୍ଧୀନଗରକୁ ଲାଗି ସାବରମତୀ ନଦୀ ଥିବାରୁ ଏହାର କୂଳେକୂଳେ ଚିତାବାଘଟି ଆସି ସଚିବାଳୟ ମଧ୍ୟରେ ପ୍ରବେଶ କରିଥିବାର ଅନୁମାନ କରାଯାଉଛି ।
ଅନ୍ୟପଟେ ସହରର ସବୁଠୁ ସୁରକ୍ଷିତ ସ୍ଥାନ ଭାବରେ ସଚିବାଳୟ ଅଞ୍ଚଳକୁ ମନାଯାଉଥିବା ବେଳେ ସେଠାରେ ଏପରି ଘଟଣା ଘଟିବାଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସଚିବାଳୟ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସହ ବହୁ ଭିଆଇପିଙ୍କ ଘର ମଧ୍ୟ ରହିଛିି । ପାଖରେ ବିଧାନ ସଭା ଓ ରାଜ୍ୟପାଳଙ୍କ ବାସଭବନ ବି ରହିଛି । ତେଣୁ ଚିତାବାଘ ପ୍ରବେଶକୁ ନେଇ ଏବେ ସୁରକ୍ଷାବ୍ୟବସ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଖାପାଖୀ ୧୦୦ରୁ ଅଧିକ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଚିତାବାଘକୁ ଧରିବା ଲାଗି ଯନ୍ତା ଧରି ଅନାଇବସିଛନ୍ତି ।