ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ । ସୁଷମାଙ୍କ ଏପରି ହଠାତ୍ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ଆଖି ବୁଜିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ପାଞ୍ଚ ଜଣିଆ ଡାକ୍ତରୀ ଦଳ ସୁଷମାଙ୍କ ଚିକିତ୍ସା କରୁଥିଲେ।ମାତ୍ର ତାଙ୍କୁ ବଞ୍ଚାଯାଇ ପାରିନଥିଲା ଏବଂ ୬୭ ବର୍ଷ ବୟସରେ ତାଙ୍କର ଦୁଃଖଦ ଦେହାନ୍ତ ହୋଇଛି ।
ତାଙ୍କର ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସୁଷମାଙ୍କ ପରଲୋକ ଖବର ପ୍ରସାରିତ ହେବା ମାତ୍ରେ ଦିଲ୍ଲୀ ଏମ୍ସକୁ ଛୁଟିଥିଲା ନେତା ଓ କର୍ମୀଙ୍କ ସୁଅ । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା । ଏହା ପରେ ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବର୍ଗର ଲୋକ । ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ଶୁଷମାଙ୍କ ଅନ୍ତିମ ସଂସ୍କାର ହେବ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାର୍ଥିବ ଶରୀର ଆଜି ସକାଳ ୧୧ଟାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇ ଅନ୍ତିମ ଦର୍ଶନ ପାଇଁ ୩ ଘଣ୍ଟା ରଖାଯିବ । ପାର୍ଟିର କାର୍ୟ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅପରାହ୍ନରେ ଲୋଧି ରୋଡ଼୍ ସ୍ଥିତ ଶବଦାହ ଗୃହରେ ରାଜକୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ ।