ନୂଆଦୀଲ୍ଲୀ(ଏଟିଆର ବ୍ୟୁରୋ): ସଂସଦରେ ଶୀତ କାଳିନ ଅଧିବେଶନ ଚାଲିଛି । ତେବେ ଏହି ଅବସରରେ ବହୁ ପ୍ରସଙ୍ଗରେ ଅଲୋଚନା କରାଯାଉଛି । ଗତକାଲି ସଂସଦରେ ଶୀତ କାଳିନ ଅଧିବେଶନ ଚାଲୁଥିବା ବେଳେ ପ୍ରଜ୍ଞା ଠାକୁର କିଛି ଏଭଳି ବୟାନ ଦେଇଛନ୍ତି ଯେ ଯାହାକୁ ନେଇ ବର୍ତ୍ତମାନ ସାରା ଦେଶ ତାଙ୍କୁ ସମାଲୋଚନା କରିବାରେ ଲାଗିପଡିଛି । ତେବେ ଗତକାଲି ଏସପିଜି ସଂଶୋଧନ ବିଲ ଉପରେ ଆଲୋଚନା କରୁଥିବା ବେଳେ ପ୍ରଜ୍ଞା ଠାକୁର ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ । ଏହା ପରେ ଗୃହରେ କଂଗ୍ରେସର ନେତା ମାନେ ହଟ୍ଟଗୋଳ କରିଥିଲେ । ଏହା ସହ ପ୍ରଜ୍ଞା ଠାକୁର ଦେଇଥିବା ବୟାନ ପାଇଁ ଗୃହ ମୁଲତବୀ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସର ନେତା ।
ତେବେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହା ଉପରେ ମନ୍ତବ୍ୟ ରଖି କହିଥିଲେ ଯେ, ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି ଯେ,ଆତଙ୍କୀ ପ୍ରଜ୍ଞା ଠାକୁର ନାଥୁରାମ ଗଡସେଙ୍କୁ ଦେଶ ଭକ୍ତ କହିବା ହେଉଛି ଭାରତ ଇତିହାସ ପାଇଁ ଏକ କଳା ଦିବସ । ତେବେ ସାଂସଦ ପ୍ରଜ୍ଞା ଠାକୁର ଦେଇଥିବା ବନାୟକୁ ନେଇ ଆଜି ମଧ୍ୟ ଗୃହରେ ହୋହଲ୍ଲା ହେବ ବୋଲି ଅନୁମାନ କରାଯାଉଛି ।