ମୁମ୍ବାଇ( ଏଟିଆର ବ୍ୟୁରୋ): ଯେଉଁଠି ସ୍ତ୍ରୀର ମୃତଦେହ ମିଳିଥିଲା ଠିକ ସେହି ସ୍ଥାନରୁ ମିଳିଲା ସ୍ୱାମୀର ମୃତଦେହ । ଅଜବ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ । ତେବେ ଏହା ହତ୍ୟା ନା’ ଆଉ କିଛି ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କ ନାଁ ଶ୍ରୀଶୈଲ ଛନପା ବିରଜଦାର । ଘର କର୍ଣ୍ଣାଟକ ଅଞ୍ଚଳରେ । ତେବେ ଆଜି ସାଲାଗାର ବୁଦ୍ରୁକ ଗ୍ରାମରୁ ତାଙ୍କର ମୃତଦେହ ଠାବ ହୋଇଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଠିକ ଏହି ସ୍ଥାନରୁ ମଧ୍ୟ ଶ୍ରୀଶୈଲଙ୍କ ପତ୍ନୀ ଅନୁରାଧାଙ୍କ ମୃତଦେହ ମିଳିଥିଲା । ଅଭିଯୋଗ ହୋଇଥିଲା ଶ୍ରୀଶୈଲଙ୍କ ପରିବାରବର୍ଗ ମିଳିତ ଭାବେ ଅନୁରାଧାଙ୍କୁ ହତ୍ୟା କରିବା ସହିତ ସମସ୍ତ ତଥ୍ୟକୁ ନଷ୍ଟ କରିଦେଇଥିଲେ ।
ଶ୍ରୀଶୈଲଙ୍କ ଘର କର୍ଣ୍ଣାଟକରେ ହୋଇଥିବା ବେଳେ ତାଙ୍କ ପିତା ଅନୁରାଧାଙ୍କ ପିତାଙ୍କ ପାଖରେ କାମ କରୁଥିଲେ । ଅନୁରାଧା ମେଡିକାଲ ପଢୁଥିବା ସମୟରେ ଥରେ ଶ୍ରୀଶୈଲ ପିତାଙ୍କ ପାଖକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଘରର ବିରୋଧ ସତ୍ୱେ ଦୁହେଁ ଘରୁ ପଳାଇଯାଇ ବିବାହ କରି ବାହାରେ ରହିଥିଲେ । କିଛି ଦିନ ପରେ ପରୀକ୍ଷାର ମିଛ ବାହାନା କରି ଅନୁରାଧାକୁ ଗ୍ରାମକୁ ଡକାଇ ହତ୍ୟା କରିଥିଲେ ତାଙ୍କ ପରିବାରବର୍ଗ । କେବଳ ଏତିକି ନୁହେଁ ସମସ୍ତ ପ୍ରମାଣକୁ ମଧ୍ୟ ନଷ୍ଟ କରିଥିଲେ । ଏବେ ଶ୍ରୀଶୈଲଙ୍କ ମୃତ୍ୟୁ ପରେ ପୂରା ଘଟଣା ସାମ୍ନାକୁ ଆସିବା ସହିତ ପୋଷ୍ଟମୋର୍ଟମ ପରେ ଘଟଣାର ଖୁଲାସା ହେବ ବୋଲି ପୋଲିସ କହିଛି ।