ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏନପିଆର , ଏନଆରସି ଓ ସିଏଏକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମେ ୧ ରୁ ରାଜ୍ୟରେ ଏନପିଆର ଲାଗୁ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଏହାକୁ ଏବେ ଅଘାଡି ଦଳର ୨ ସହଯୋଗୀ ଦଳ କଂଗ୍ରେସ ଓ ଏନସିପି ବିରୋଧ କରୁଛନ୍ତି । ଆରମ୍ଭରୁ ଏହାକୁ କଂଗ୍ରେସ ଓ ଏନସିପି ବିରୋଧ କରି ଆସୁଛି । ସୂଚନାଯୋଗ୍ୟ ଆସନ୍ତା ମେ ୧ ତାରିଖରୁ ଜୁନ ୧୫ ତାରିଖ ମଧ୍ୟରେ ଏନପିଆର ଜରିଆରେ ସମସ୍ତ ରାଜ୍ୟ ତଥ୍ୟ ଏକାଠି କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ରହିଛି । ଏନେଇ ମହାରାଷ୍ଟ୍ର ରେଜିଷ୍ଟାର ଜେନେରାଲ ଓ ଏନପିଆର ଓ ଜନଗଣନାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଯାଇଛି ।
ବୈଠକର ସୂଚନା ଅନୁସାରେ ଏନପିଆର ଓ ଜନଗଣନା ପାଇଁ ୩.୩୪ ଲକ୍ଷ କର୍ମଚାରୀ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅଧିକ ସୂଚନା ଜାରି କରାଯିବ । ଅନ୍ୟପଟେ ଉଦ୍ଧବ ଠାକରେଙ୍କ ଘୋଷଣା ପରେ ଏବେ ଅଘାଡିରେ ଅସନ୍ତୋଷ ଦେଖା ଦେଇଛି । ଏନସିପି ଏହି ଘୋଷଣାକୁ ସିଧା ସିଧା ବିରୋଧ କରି ନଥିଲେ ମଧ୍ୟ ସମର୍ଥନ ମଧ୍ୟ କରୁନାହିଁ । ତେବେ ଏହାକୁ ନେଇ ଏନସିପି ନେତା ଅନିଲ ଦେଶମୁଖ କହିଛନ୍ତି ସରକାର ଯାହାବି ନିଷ୍ପତ୍ତି ନେବେ ସେ ପ୍ରଥମେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେବେ ।