ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ସରକାର ଗଢିବା ଘଟଣା ପ୍ରତି ମୂହୁର୍ତ୍ତରେ ନୂଆ ମୋଡ ନେଉଛି । ବିଜେପି ସରକାର ଗଢିବାକୁ ମନା କରିବା ପରେ ଏବେ ଶିବ ସେନା ଅକଳରେ ପଡିି ଯାଇଛି । କାରଣ ଶିବ ସେନା ଏବେ କାହାକୁ ନେଇ ସରକାର ଗଢିବ ତାକୁ ନେଇ ଅଙ୍କକଷା ଚାଲିଛି । ବିଜେପି ମନା କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଢିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମାତ୍ର ଶିବସେନା କାହା ସହିତ ମେଣ୍ଟ କରିବ ତାକୁ ନେଇ ଏବେ ବି କିଛି ସ୍ପଷ୍ଟ କରିନାହିଁ ।
କଂଗ୍ରେସ ସହିତ ମେଣ୍ଟ କରିବ ନାଁ ଏନସିପି ସହିତ ମେଣ୍ଟ କରିବ ତାକୁ ନେଇ ଦ୍ୱନ୍ଦ ଲାଗି ରହିିଛି । ହୁଏତ ଆଜି ସନ୍ଧ୍ୟା ସୁଦ୍ଧା ଶିବସେନା ଏନେଇ ସ୍ପଷ୍ଟ କରିପାରେ । ଅନ୍ୟପଟେ ଆଜି କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଟ୍ବିଟ୍ କରି କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପଦରୁ ଇସ୍ତଫା ନେଇ ନିଜେ ସୂଚନା ଦେଇଛନ୍ତି। ଶୁଣାଯାଉଛି ଏନସିପିର ସମର୍ଥନରେ ଶିବସେନା ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡିଛି ।
ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ସହଯୋଗୀ ବିଜେପିକୁ ଦାୟୀ କରିଛି ଶିବସେନା। ନିର୍ବାଚନ ବେଳେ ବିଜେପି ଅଧାଅଧା ରେ ସରକାର ଗଢ଼ିବା ନେଇ ରାଜି ହୋଇଥିଲା। ଏବେ କିନ୍ତୁ ଏହି ଫର୍ମୁଲାରେ ରାଜି ହେଉନାହିଁ ବିଜେପି । ରାଜ୍ୟରେ ବିଜେପି ସର୍ବାଧିକ ଆସନ ପାଇଥିଲେ ମଧ୍ୟ ବିରୋଧୀ ଆସନରେ ବସିବାକୁ ଇଚ୍ଛା କରୁଛି। ସରକାର ନଗଢ଼ି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ପ୍ରୟାସ କରୁଛି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ।