ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ମହାନାଟକ ଶେଷ ଦୃଶ୍ୟ ଜଣା ପଡିବା ପରେ ମଧ୍ୟ ଏବେବି ବି ସସପେନ୍ସ ଲାଗି ରହିଛି । ପ୍ରତି ମୂହୂତ୍ତରେ ଆସୁଛି ନୂଆ ମୋଡ । ଗତକାଲି ମହାରାଷ୍ଟ୍ରରେ ବିଜେପି ସରକାର ଗଢିଥିଲେ ମଧ୍ୟ କଂଗ୍ରେସ , ଶିବସେନା ଓ ଏନସିପି ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ତିନି ଦଳ ଆବେଦନରେ ଦର୍ଶାଇଛନ୍ତି ତାଙ୍କ ସହିତ ୧୫୪ ଜଣ ବିଧାୟକ ରହିଛନ୍ତି । ଫ୍ଲୋରକୁ ଡାକି ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି । ଶପଥ ପାଠ ଏତେ ସକାଳୁ କରିବାର କ’ଣ ଆବଶ୍ୟକତା ରହିଥିଲା । ଅନ୍ୟପଟେ ସୂର୍ୟ୍ୟଉଦୟ ପୂର୍ବରୁ କିଭଳି ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଗଲା ତାହା ମଧ୍ୟ ପ୍ରଶ୍ନ କରିଛନ୍ତି । ତେବେ ଏ ସବୁ ଭିତରେ ଏବେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସାଧାରଣରେ ଚର୍ଚ୍ଚା ହେଉଛି ମହାରାଷ୍ଟ୍ରରେ ବିଜେପି ରାତି ଅଧିଆ ପଲିଟିକାଲ ଷ୍ଟ୍ରାଇକ କରିଛି । ଯୁକ୍ତି ରହିଛି ଗତ ୨୨ ତାରିଖ ରାତିରେ ଖବର ଆସିଲା କଂଗ୍ରେସ, ଏନସିପି ଓ ଶିବସେନା ସମର୍ଥନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ । ତିନି ଦଳ ପକ୍ଷରୁ ପ୍ରେସ ବିବୃତିରେ ମଧ୍ୟ ସମାନ କଥା କୁହାଗଲା । ହେଲେ ରାତି ପାହିଲା ବେଳକୁ ପଟ ଓଲଟି ଗଲା । ସକାଳ ୮ ଟା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଥିଲେ।
ସୂଚନାଯୋଗ୍ୟ ବିଜେପି ସରକାର ଆସିବା ପରେ ତାର ପ୍ରଥମ ପାଳିରେ ୨୮ ସେପ୍ଟେମ୍ବର ୨୦୧୬ ରେ ପାକିସ୍ତାନକୁ ପାନେ ଦେବା ପାଇଁ ନେଇଥିଲା ଏକ ପଡ ପଦକ୍ଷେପ ଯାହାର ନାଁ ରହିଥିଲା ସର୍ଜିକାଲ ଷ୍ଟ୍ରାଇକ । ସେହିଭଳି ପୁଲୱାମା ଘଟଣା ବିରୋଧରେ ୨୬ ଫେବୃଆରୀ ୨୦୧୯ ରେ ଭାରତ ପାକିସ୍ତାନ ଆତଙ୍କବାଦୀ ସିବିର ବାଲାକୋଟ ଉପରେ କରିଥିଲା ଏୟାର ଷ୍ଟ୍ରାଇକ । ଆଉ ଏହି ଦୁଇଟି ଷ୍ଟ୍ରାଇକ ବିଳମ୍ବିତ ରାତିରେ କରାଯାଇଥିଲା । ଖବର ସକାଳେ ପ୍ରକାଶ ହୋଇଥିଲା । ଠିକ ସମାନ ଢଙ୍ଗରେ ଏବେ ବିଜେପି ମହାରାଷ୍ଟ୍ରରେ ପଲିଟିକାଲ ଷ୍ଟ୍ରାଇକ କରିଥିବା ଚର୍ଚ୍ଚା ଜୋର ଧରିଛି ।