ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ): ବିଷାକ୍ତ ମଦ ନେଉଛି ଜୀବନ । ଜଣେ କି ଦୁଇ ଜଣ ନୁହେଁ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୪ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଉତ୍ତରାଖଣ୍ଡ ଝାବରେଡା ଅଞ୍ଚଳର ବଲ୍ଲୁପୁର ଗାଁରେ ଦେଖିବାକୁ ମିଳିଛି ।
ଏସପି ଜନ୍ମେଜୟ ପ୍ରଭାକର ଖଣ୍ଡୁରୀଙ୍କ କହିବାନୁଯାୟୀ, ଗାଁର ଜଣେ ବ୍ୟକ୍ତି ତାଙ୍କ ଘରେ ଭୋଜିର ଆୟୋଜନ କରିଥିଲେ । ସେହି ସମୟରେ କିଛି ଗାଁ ଲୋକ ମଦ ପିଇ ଥିଲେ । ଏହି ମାମଲାରେ ଡିଏମ ପକ୍ଷରୁ ମାଜିଷ୍ଟ୍ରିୟଲ ତଦନ୍ତ ପାଇଁ ଆଦେଶ ଦିଆଯାଇଛି । ଏନେଇ ଏଡିଏମ ଲଳିତା ନାରାୟଣଙ୍କୁ ଦାୟିତ୍ୱ ଦିଆଯାଇଛି ।
ମଦ ପିଇଲା ପରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଦ ପିଇ ଅସୁସ୍ଥ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ବିଷାକ୍ତ ମଦ ସେବନକୁ ନେଇ ଅବହେଳା ମାମଲାରେ ଅବକାରୀ ବିଭାଗ ପକ୍ଷରୁ ୧୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।
ପ୍ରକୃତରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଫୁଡ୍ ପଏଜନିଙ୍ଗ କିମ୍ବା ଘରେ ତିଆରି ହୋଇଥିବା ଦେଶୀ ମଦ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି ।