ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ): ଶ୍ମଶାନ ନାଁ ଶୁଣିଲା ମାତ୍ରେ ଲୋକମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥାଏ । କାରଣ ଲୋକଙ୍କ କହିବାନୂଯାୟୀ ଶ୍ମଶାନରେ ଭୂତ ପ୍ରେତ ରହିଥାନ୍ତି । ସେହି ସ୍ଥାନକୁ ଏକୁୁଟିଆ ଯିବା ପାଇଁ ଲୋକେ ଡରିଥାନ୍ତି । କିନ୍ତୁ ନିକଟରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ତେଲଗୁ ଦେଶମ ପାର୍ଟିର ଜଣେ ବିଧାୟକ ଏକ ଶ୍ମଶାନ ଘାଟରେ ରାତି କଟାଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ଖବର ଅନୁସାରେ, ପାଲାକୋଲ ଗାଁରେ ରହୁଥିବା ବିଧାୟକ ନିମ୍ମାଲା ରାମା ନାୟଡୁ ପୁରା ରାତି ଏକ ଶ୍ମଶାନ ଘାଟରେ ଶୋଇଥିଲେ । କାରଣ ଶ୍ମଶାନ ଘାଟରେ କିଛି ନିର୍ମାଣ କାର୍ଯ୍ୟ ହେବାର ଥିଲା, କିନ୍ତୁ ଶ୍ରମିକମାନେ ଏଠାରେ ଭୂତ ପ୍ରେତ ଥିବା କହି କାମ କରିବାକୁ ଭୟ କରୁଥିଲେ । ତେଣୁ ବିଧାୟକ ଜଣକ ଶ୍ରମିକଙ୍କ ଭୟ ଦୂର କରିବା ପାଇଁ ଗୋଟେ ରାତି ଶ୍ମଶାନରେ ଶୋଇବା ପାଇଁ ନିଷ୍ପତି ନେଇଥିଲେ ବୋଲି ଜଣାପଡିଛି । ବିଧାୟକ ଜଣକ ପୁରା ରାତି ଶ୍ମଶାନରେ କଟାଇଥିଲେ, ହେଲେ ମଶାମାନେ ତାଙ୍କୁ ଶାନ୍ତିରେ ଶୋଇବାକୁ ଦେଇନଥିଲେ । ତା’ପରେ ଦିନ ବିଧାୟକ ଜଣକ ସକାଳୁ ଉଠି ଘରକୁ ଚାଲିଯାଇଥିଲେ ।
ତେବେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ? ବିଧାୟକ ଜଣକ କ’ଣ ସୂଚନା ଦେବାକୁ ଚାହୁଁଥିଲେ ? ତେବେ ଜାଣି ରଖନ୍ତୁ, ଦୁନିଆରେ କୌଣସି ଭୂତ ପ୍ରେତ ନାହିଁ ବୋଲି ଶ୍ରମିକମାନଙ୍କୁ ଜଣାଇବାକୁ ଚାହୁଁଥିଲେ ବିଧାୟକ ।
ପ୍ରକାଶ ଯୋଗ୍ୟ ଯେ, ଜଣେ ଶ୍ରମିକ ଶ୍ମଶାନ ଘାଟରେ ଭୂତ ପ୍ରେତ ଥିବା ନେଇ ଖବର ପ୍ରଚାରିତ କରିଦେଇଥିଲେ । ଯାହା ଫଳରେ କୌଣସି ବି ଶ୍ରମିକ ଏହି ଶ୍ମଶାନ ଘାଟରେ କାର୍ଯ୍ୟ କରିବାକୁ ସାହସ କରୁନଥିଲେ । ହେଲେ ଏହା ଏକ ଗୁଜବ ଥିଲା ।