ମଧ୍ୟପ୍ରଦେଶ ( ଏଟିଆର ବ୍ୟୁରୋ): ବିବାହ ନୂଆ ଏକ ସମ୍ପର୍କର ଅନ୍ୟ ଏକ ନାମ । ଯେଉଁଥିରେ ଭରି ରହିଥାଏ ଖାଲି ଭଲପାଇବା ଆଉ ତ୍ୟାଗ । ଜଣେ ଜଣଙ୍କର ହୋଇଥାନ୍ତି ଜନ୍ମ ଜନ୍ମର ସାଥି । ତେଣିକି ସବୁକିଛି ଅଧା ଅଧା, ଅଧେ ତୋର ଅଧେ ମୋର ନ୍ୟାୟରେ ହସ ଲୁହ ସବୁକିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେଠଲ ବାଟିକାରେ । ସୂଚନାଅନୁସାରେ ଜୁନାବେପାରରେ ରହୁଥିବା ଦିଲ୍ଲୀପ ସକସେନାଙ୍କର ବିଦିଶାରେ ରହୁଥିବା ଦିପ୍ତି କଶ୍ୟପଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ଏମିତି କି ଉଭୟଙ୍କ ବିବାହ ତାରିଖ ମଧ୍ୟ ଠିକ ହୋଇଥିଲା ।
କିନ୍ତୁ ଗତ ଜୁନ ୬ ତାରିଖରେ ନିଜ ବିବାହ କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଦିଲ୍ଲୀପଙ୍କର ଅବସ୍ଥା ଗୁରୁତର ହୋଇଗଲା । ତାଙ୍କ ଗୋଡ ଏବଂ ବାମ ହାତରେ ଗଭୀର ଆଘାତ ଲାଗିବାରୁ ଡାକ୍ତର ତାଙ୍କୁ ୪ ଦିନ ପାଇଁ ଆଇସିୟୁକୁ ପଠାଇଦେଲେ । ତେବେ ଏଭଳି ଏକ ଦୁଃଖଦ ସମୟରେ କନ୍ୟା ପକ୍ଷ ଚିନ୍ତା କଲେ ବିବାହ ତାରିଖ ଘଉଞ୍ଚାଇ ଦେବାକୁ । ମାତ୍ର କନ୍ୟା ଏଥିରେ ସହମତ ହୋଇ ନଥିଲେ । କନ୍ୟା ଏକାଜିଦ କରିଥିଲେ କି ପୂର୍ବରୁ ନିର୍ଦ୍ଧାରିତ ବିବାହ ତାରିଖରେ ହିଁ ସେ ବିବାହ କରିବେ ।
ଗତ ମଙ୍ଗଳବାର ଦିନ ଠିକ ନିର୍ଦ୍ଧାରିତ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ବରକୁ କନ୍ୟା ହୁଇଲ ଚେୟାରରେ ବସାଇ ସବୁ କର୍ମ କରିଥିଲା । ଏମିତିକି ବର ବସିଥିବା ହୁଇଲ ଚେୟାରକୁ ପଛରୁ ଧରି ସତଫେରା ନେଇଥିଲା କନ୍ୟା । ଖାଲି ସେତିକି ନୁହେଁ ବରକୁ କନ୍ୟା ହୁଇଲ ଚେୟାରରେ ବସାଇ ଗାଡି ପର୍ଯ୍ୟନ୍ତ ମଧ୍ୟ ନିଜେ ନେଇ ଯାଇଥିଲା । ଯାହା ଉପସ୍ଥିତ ଥିବା ଲୋକଙ୍କୁ ତାଜୁବ କରିଦେଇଥିଲା ।