ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୫ରୁ ଖୋଲିବ ରାଷ୍ଟ୍ରପତିଙ୍କର ମୋଗଲ ବଗିଚା । ଏଥିପାଇଁ ସଜେଇ ହେଲାଣି ରାଷ୍ଟ୍ରପତି ଭବନର ମୋଗଲ ବଗିଚା । ଫେବୃଆରୀ ୫ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଦର୍ଶକ ଏହି ବଗିଚାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଦର୍ଶକମାନେ ଏହି ବଗିଚାରେ ଭଳି କି ଭଳି ଆକର୍ଷଣୀୟ ଫୁଲ ଗଛ ଦେଖିବାକୁ ପାଇବେ । ଏହି ବଗିଚାରେ ପ୍ରାୟ ୧୦ ହଜାରରୁ ଅଧିକ ଟ୍ୟୁଲିପ, ୧୩୮ ପ୍ରକାରର ଗୋଲାପ , ୫ହଜାରରୁ ଅଧିକ ୭୦ ପ୍ରକାର ଫୁଲ ଗଛ ଦର୍ଶକ ଦେଖିବାକୁ ପାଇବେ । ତେବେ ଏଥର ଉଦ୍ୟାନର ମୁଖ୍ୟ ଆର୍କଷଣ ପାଲଟିବ ଗ୍ରେସ ଦ ମୋନାକୋ ନାମକ ଗୋଲାପ ।
ଯାହା ଦର୍ଶକଙ୍କୁ ନିଜ ଆଡକୁ ଆର୍କଷିତ କରିବ ବୋଲି ଆଶା କରାଯାଉଛି । ଏହି ବୃକ୍ଷକୁ ଗତ ବର୍ଷ ମୋନାକୋରା ରାଜା ଏଲବର୍ଟ ଦ୍ୱିତୀୟ ରୋପଣ କରିଥିଲେ । ଖାଲି ସେତିକି ନୁହେଁ ଏଥରକ ଦର୍ଶକଙ୍କୁ ଟିକିଏ ଅଡୁଆରେ ପକାଇବ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମଦର ଟେରେସା, ପୂର୍ବତନ ଆମେରିକା ରାଷ୍ଟ୍ରପତି ଜନ ଏଫ କେନେଡି, ମହାରାଣୀ ଏଲିଜାବେଥ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ନାମିତ କରାଯାଇଥିବା ଗୋଲାପ । ଏହା ସହ ଚା’ କପ ଆକାରର ଟ୍ୟୁଲିପ ମଧ୍ୟ ବଗିଚାରେ ନିଜର ସ୍ୱତନ୍ତ୍ର ସ୍ଥାନ ନେବା ସହ ଦର୍ଶକଙ୍କୁ ନିଜ ଆଡକୁ ଅଧିକ ଆକର୍ଷିତ କରିବ ।