ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ପଡି ଥିବା ଲାଣ୍ଡର ବିକ୍ରମ ସହିତ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ପୁର୍ନବାର ସମ୍ପର୍କ ଯୋଡିବାକୁ ଚେଷ୍ଟା କରୁଛି । ସେପ୍ଟମ୍ବର ୭ରେ ହାର୍ଡ ଲାଣ୍ଡିଂ ଯୋଗୁଁ ଇସ୍ରୋର ବିକ୍ରମ ଲାଣ୍ଡର ସହିତ ସମ୍ପର୍କ ଛିନ୍ନ ହୋଇଥିଲା । ଏବେ ଯଦି ବିକ୍ରମ ସହିତ ଇସ୍ରୋର ସମ୍ପର୍କ ସ୍ଥାପିତ ହୋଇଯାଏ ତେବେ ଲାଣ୍ଡର ଏବଂ ରୋଭର ନିଜର କାମ ଆରମ୍ଭ କରିଦେବେ । ଏହାସହିତ ଭାରତର ଏହି ଅଭିଯାନ ଶହେ ପ୍ରତିଶତ ସଫଳତା ହାସଲ କରିବ । ବର୍ତ୍ତମାନଏହି ମିଶନ ୯୫ ପ୍ରତିଶତ ସଫଳ ହୋଇଛି ।
ଇତି ମଧ୍ୟରେ ଦୁନିଆର ସବୁଠାରୁ ବଡ ଅନ୍ତରୀକ୍ଷ ଏଜେନ୍ସି ନାସା ବି ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଅନ୍ତରୀକ୍ଷ ଗ୍ରାଉଣ୍ଡ ଷ୍ଟେସନ ନେଟୱାର୍କ ଜରିଆରେ ନାସା ର ଜେଟ ପ୍ରୋପଲସନ ଲାବ୍ରୋଟରୀ ପକ୍ଷରୁ ଲାଣ୍ଡର ସହିତ ସମ୍ପର୍କ ସ୍ଥାପିତ କରିବା ପାଇଁ ବିକ୍ରମକୁ ଏକ ରେଡିଓ ଫ୍ରିକ୍ୟୁନ୍ସି ପଠାଯାଇଛି । ଏନେଇ ନାସା ସୂତ୍ରରୁ ଜଣା ପଡିଛି ।
ସୂତ୍ର ପକ୍ଷରୁ କୁହାଯାଇଛି, ଗଭୀର ଆନ୍ତରୀକ୍ଷ ନେଟୱାର୍କ ଜରିଆରେ ବିକ୍ରମ ସହିତ ସମ୍ପର୍କ ଯୋଡିବାକୁ ନାସା ଚେଷ୍ଟା କରୁଛି । ଏନେଇ ଇସ୍ରୋ ମଧ୍ୟ ସହମତ ।