ମହାରାଷ୍ଟ୍ର(ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ନିର୍ବାଚନର ମହାଡ୍ରାମା ଦେଖିସାରିବା ପରେ ବର୍ତ୍ତମାନ ଲୋକେ ମହାରାଷ୍ଟ୍ର ସରକାରଙ୍କ ଦଳୀୟ କନ୍ଦଳ ଦେଖୁଛନ୍ତି । ମେଣ୍ଟ ସରକାରରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି ।
ଆଜି ଉଦ୍ଧବ ସରକାରଙ୍କ କ୍ୟାବିନେଟର ଶିବସେନା ବିଧାୟକ ତଥା ରାଜ୍ୟମନ୍ତ୍ରୀ ଅବଦୁଲ୍ଲ ସତ୍ତାର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପୁର୍ବରୁ ସେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ ହେଲେ ତାଙ୍କୁ ରାଜ୍ୟମନ୍ତ୍ରୀ ପଦ ଦିଆଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ।
ସୁଚନା ଅନୁସାରେ ଡିସେମ୍ବର ମାସ ଶେଷରେ ଉଦ୍ଧବ ସରକାର ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଥିଲେ ଏହି ମନ୍ତ୍ରୀମଣ୍ଡଳରେ ୩୬ ଜଣ ମହା ବିକାଶ ଅଘାଡି ମେଣ୍ଟର ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହି ନୂଆ ମନ୍ତ୍ରୀମଣ୍ଡଳରେ ଉଦ୍ଧବ ଅଳ୍ପ ବରିଷ୍ଠ ନେତାଙ୍କ ସହିତ ଅଧିକ ଯୁବ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ।
ସେପଟେ ଉଦ୍ଧବଙ୍କ ମେ ସରକାରରେ ଦିନକୁ ଦିନ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ମେଣ୍ଟ ନେତାଙ୍କର ଏଭଳି ବିଦ୍ରୋହ ଆଗକୁ ଉଦ୍ଧବଙ୍କ ପାଇଁ ବଡ ସମସ୍ୟା ହୋଇ ଠିଆ ହେଇପାରେ ।