ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଢେ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲରେ ଫେରାର ଅଭିଯୁକ୍ତ ଏବଂ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ନେଇ ନୂଆ ଖୁଲାସା ସାମ୍ନାକୁ ଆସିଛି । ୧୦୦ କୋଟି ଟଙ୍କାର ବଙ୍ଗଳାରେ ନୀରବ ଯେଉଁଠି ଆଲିଶାନ ପାର୍ଟି କରୁଥିଲେ ତାହା ସମ୍ପୂର୍ଣ୍ଣ ବେଆଇନ୍ ଭାବେ ନିର୍ମାଣ କରାଯାଇଛି ।
ଶୁକ୍ରବାର ରାୟଗଢ ଜିଲ୍ଲା ଅଧିକାରୀ କହିଛନ୍ତି କି,ମହାରାଷ୍ଟ୍ରରେ ରାୟଗଢ ସ୍ଥିତ ନୀରବଙ୍କ ଆଲିବାଗ ସ୍ଥିତ ବଙ୍ଗଳାଟି ବେଆଇନ୍ ଭାବେ ନିର୍ମାଣ କରାଯାଇଛି । ଏହା କୋଷ୍ଟାଲ ରେଗୁଲେସନ୍ ଜୋନ୍ ନିୟମକୁ ଉଲ୍ଲଙ୍ଘନ କରିଛି ।
ଜିଲ୍ଲା ଅଧିକାରୀଙ୍କ ରେକର୍ଡ ମୁତାବକ,ଏହି ଆଲିଶାନ୍ ବଙ୍ଗଳାଟି ୩୩ ହଜାର ସ୍କୋୟାର ଫୁଟ୍ ରେ ବିସ୍ତୃତ ଅଛି, କିନ୍ତୁ ପ୍ରକୃତରେ ଏହା ୭୦ ହଜାର ସ୍କୋୟାର ଫୁଟ ଜାଗାକୁ ମାଡିବିସିଛି । ବର୍ଷ ୨୦୦୯-୧୦ ମଧ୍ୟରେ ଏହି ବଙ୍ଗଳା ନିର୍ମାଣ କରାଯାଇଥିଲା । ଏଠାରେ ନୀରବ ମୋଦି ତାଙ୍କର ବନ୍ଧୁ ଏବଂ ପରିଜନଙ୍କୁ ଶାନ୍ଦାର୍ ପାର୍ଟି ଦେଉଥିଲେ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ବଙ୍ଗଳାର ଦାମ୍ ୪୨ କୋଟି କୁହାଯାଇଥିଲା । ମାତ୍ର ବର୍ତ୍ତମାନ ଏହି ବଙ୍ଗଳାର ଦାମ୍ ୧୦୦ ମୋଟି ଅଧିକ ହେବ ବୋଲି ଆକଳନ କରାଯାଉଛି । ଗତ ଡିସେମ୍ବର ୪ ୨୦୧୮ରେ ଜିଲ୍ଲାପାଳଙ୍କ ଦ୍ୱାରା ଏହି ବଙ୍ଗଳା ବେଆଇନ ବୋଲି କୁହାଯାଇଥିଲା । ସେଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଆଲିଶାନ୍ ବଙ୍ଗଳାକୁ ଭାଙ୍ଗିବା ପାଇଁ ନିଷ୍ପତି ନିଆଯାଇଛି ।