ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଅଭିଯୁ୍କ୍ତଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ ନିର୍ଦେଶ ହୋଇଥିଲା । ଅଭିଯୁକ୍ତ ମୁକେଶ କ୍ଷମା ଆବେଦନ କରିଥିବାରୁ ଆଜି ଦିଲ୍ଲୀର ତିସ ହଜାରୀ କୋର୍ଟ ସମସ୍ତ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ମୁକେଶ ଦେଇଥିବା ରାଜକ୍ଷମା ଆବେଦନ ଖାରଜ ହୋଇନଥିବାରୁ ଡେଥ ୱାରେଣ୍ଟରେ ରୋକ ଲଗାଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଡେଥ ୱାରେଣ୍ଟ ସମୀକ୍ଷା କରାଯାଉ ନାହିଁ ।
ମାତ୍ର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାଜକ୍ଷମା ଆବେଦନ କରିଥିବାରୁ ଏହାର ବିଚାର ନହେବା ଯାଏ ଡେଥ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏବେ ଅଭିଯୁକ୍ତ ଫାଶୀ ପାଇବେ କି ନାହିଁ ସେ ବିଚାର ରାଷ୍ଟ୍ରପତି ନିଜେ କରିବେ । ଅନ୍ୟପଟେ ରଜକ୍ଷମା ଫାଇଲ କାହିଁକି ଏତେ ବିଳମ୍ବ ଯାଏ ରାଷ୍ଟ୍ରପତିଙ୍କ ନିକଟକୁ ଯାଇନାହିଁ ସେନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡିତାଙ୍କ ପରିବାର । ଏମିତିକି ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯିବା ଠିକ ନୁହେଁ ବୋଲି କହିଛନ୍ତି ପୀଡିତାଙ୍କ ମା । ରାଜକ୍ଷମା ଆବେଦନ ହେଲେ ଦୋଷୀକୁ ୧୪ ଦିନ ଅଧିକ ସମୟ ମିଳିଥାଏ । ପୂର୍ବରୁ ଏହି ମାମଲାରେ ଦୁଇ ଜଣଙ୍କ କ୍ୟୁରୀ ପିଟିସନ ଖାରଜ ହୋଇଛି ।