ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ପାକିସ୍ତାନ ସହ ହୋଇପାରିବନି ଆଲୋଚନା । ଏଭଳି ମନ୍ତବ୍ୟ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ଯାଏଁ ପାକିସ୍ତାନ ସହ କୌଣସି ବି ଆଲୋଚନା ହୋଇପାରିବନି ବୋଲି ରାଜନାଥ କହିଛନ୍ତି । ପାକିସ୍ତାନ ସମେତ ଅନ୍ୟ ଦେଶ ମାନଙ୍କ ସହ ଭାରତ ଆଲୋଚନା କରିବାକୁ ଚାହେଁ କିନ୍ତୁ ଆତଙ୍କବାଦ ଓ ଆଲୋଚନା ଏକା ସାଙ୍ଗରେ ହେବା ଅସମ୍ଭବ ବୋଲି ସେ କହିଛନ୍ତି । ପାକିସ୍ତାନ ଦୀର୍ଘ ଦିନରୁ ଆତଙ୍କବାଦକୁ ଦେଇଆସୁଥିବା ସମର୍ଥନ କୁ ବନ୍ଦ କରିଲେ ଯାଇ ଆମେ ଆଲୋଚନା କରିବୁ ବୋଲି ଗୃହମନ୍ତ୍ରୀ ଜଣାଇଛନ୍ତି ।
ଅମେ ବହୁବାର ପାକିସ୍ତାନ ସହ ଆଲୋଚନା କରିବାକୁ ଚେଷ୍ଟା କରିଛୁ ଏମିତି କି ପ୍ରାଧାନମନ୍ତ୍ର ମୋଦୀ ବି ପାକ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଭେଟି ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିଆସିଛନ୍ତି । କିନ୍ତୁ ପାକ୍ ପକ୍ଷରୁ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏ ସବୁ ସମ୍ଭବ ହୋଇପାରୁନାହିଁ ବୋଲି ରାଜନାଥ ସିଂହ କହିଛନ୍ତି । ସୁଚନା ଯୋଗ୍ୟ ଯେ , ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ କରିଛନ୍ତି । ସେ ନିର୍ବାଚନରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେବ ବୋଲି କହିଥିଲେ ।