ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ସଙ୍କଟରେ ଦେଶର ପ୍ରଥମ ଗୋ ଅଭୟାରଣ୍ୟ । ଗୋରୁଙ୍କ ପାଇଁ ପାଣି ଓ ଚାରାର ଘୋର ଅଭାବ ଏବେ ଦେଖାଦେଇଛି ଏହି ଅଭୟାରଣ୍ୟରେ । ଗୋ ସଂରକ୍ଷଣ ପାଇଁ ନିର୍ମିତ ଦେଶର ଏହି ପ୍ରଥମ ଗୋ ଅଭୟାରଣ୍ୟର ଏମିତି ଦୁଃଖଦ ଚିତ୍ର ଏବେ ସାମ୍ନାକୁ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ବି ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି , ପାଣି ଓ ଚାରାର ଅଭାବ ପାଇଁ ଗତ ଛଅ ମାସ ତଳୁ ଅଭୟାରଣ୍ୟରେ ନୂଆ ଗୋରୁଙ୍କ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି ।
ଦେଶରେ ଗୋ ସୁରକ୍ଷା ଓ ସରଂକ୍ଷଣକୁ ନଜରରେ ରଖି ପ୍ରତିଷ୍ଠା ହୋଇଥିଲା ଗୋ ଅଭୟାରଣ୍ୟ । ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାର ସୁସନେର ତହସିଲ ଠାରୁ ୨୦ କିମି ଦୂର ସାଲରିୟା ଗାଁରେ ରହିଛି ଏହି ଅଭୟାରଣ୍ୟ । ପ୍ରାୟ ୪୭୨ ହେକ୍ଟର ଜମି ଉପରେ ଛିଡା ହୋଇଥିବା ଏହି ଅଭୟାରଣ୍ୟର ନାଁ ହେଉଛି କାମଧେନୁ ଗୋ-ଅଭୟାରଣ୍ୟ ଅନୁସନ୍ଧାନ ଓ ଉତ୍ପାଦନ କେନ୍ଦ୍ର ।
ସବୁଠୁ ରୋଚକ କଥାଟି ହେଉଛି ଉଦଘାଟନର ମାତ୍ର ୫ ମାସ ପରେ ଅର୍ଥାତ ୨୦୧୮ ଫେବୃଆରୀ ଠାରୁ ଏହି ଅଭୟାରଣ୍ୟ ଭିତରକୁ ଗୋ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ପାଣି ଓ ଚାରାର ଅଭାବ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଅଭୟାରଣ୍ୟର ଅଧିକାରୀ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଭାଜପା ଶାସନ କାଳରେ ନିର୍ମିିତ ଏହି କାମଧେନୁ ଗୋ-ଅଭୟାରଣ୍ୟ ଅନୁସନ୍ଧାନ ଓ ଉତ୍ପାଦନ କେନ୍ଦ୍ରରେ ୨୪ଟି ଗୋ-ଶାଳା ଥିବା ବେଳେ ଏହାର କ୍ଷମତା ଅନୁସାରେ ପ୍ରାୟ ୬୦୦୦ ଗୋରୁ ରଖାଯାଇପାରିବ । ବାହାରେ ବୁଲୁଥିବା ବା କାଂଜିଆହୁଦାରେ ରହିଥିବା କିମ୍ବା ପ୍ରରିତ୍ୟକ୍ତ ଅବସ୍ଥାରେ ଥିବା ଗୋରୁଙ୍କୁ ଏଠାରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
ଖାଲି ସେତିକି ନୁହେଁ, ଏମାନଙ୍କ ଗୋବର ଓ ଗୋମୁତ୍ରରୁ କୀଟନାଶକ ଏବ ଔଷଧ ପ୍ରସ୍ତୁତ କରିବା ପାଇଁ ବି ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୪,୧୨୦ ଗାଈ ରହିଛନ୍ତି ଏହି ଅଭୟାରଣ୍ୟରେ । କିନ୍ତୁ ଏମାନଙ୍କ ଖାଇବା ପାଇଁ ସବୁଜ ଚାରା ଓ ପିଇବା ପାଣିର ଅଭାବ ଦେଖା ଦେଇଥିବାରୁ ନୂଆ ଗୋରୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
କହିବା ବାହୁଲ୍ୟ, ଏହି ଅଭୟାରଣ୍ୟ ଚଳାଇବା ପାଇଁ ମାସକୁ ପ୍ରାୟ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଏହା ନିରନ୍ତର ମିଳୁଥିବା ବେଳେ ଟଙ୍କାର କୌଣସି ଅଭାବ ନଥିବା କାମଧେନୁ ଗୋ-ଅଭୟାରଣ୍ୟ ଅନୁସନ୍ଧାନ ଓ ଉତ୍ପାଦନ କେନ୍ଦ୍ରର ଅଧ୍ୟକ୍ଷ ତଥା ଆଗର-ମାଲୱା ଜିଲ୍ଲାପାଳ ଅଜୟ ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।