ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଲୋକସଭାରେ ନାଗରିକତ୍ୱ ବିଲ୍ ପାସ ହେବା ପରେ ଗତକାଲି ରାତିରେ ରାଜ୍ୟସଭାରେ ମଧ୍ୟ ବିଲ୍ ପାସ ହୋଇଛି । ତେବେ ଏହା କୁ ବିରୋଧ କରି ଗତ ତିନି ଦିନ ହେବ ଉତ୍ତ-ପୂର୍ବ ଭାରତ ଜଳୁଛି । ରାଜ୍ୟସଭାରେ ଏହି ବିଲ୍ ପାସ ହେବା ଦିନ ଠାରୁ ଉତ୍ତର-ପୂର୍ବର ବିଭିନ୍ନ ଅଞ୍ଚଳରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ବିଭିନ୍ନ ଛାତ୍ର ସଙ୍ଗଠନ, ଏନଜିଓ ଏବଂ ଦଳ ମାନେ ଏହି ବିଲ୍କୁ ବିରୋଧ କରୁଛନ୍ତି । ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ ଦ୍ୱାରା କେନ୍ଦ୍ର ସରକାର ଅଞ୍ଚଳବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ବିଲ୍କୁ ପ୍ରତ୍ୟାହାର କରୁନ୍ତୁ ବୋଲି ଦାବି କରାଯାଇଛି । ନାଗରିକତ୍ୱ ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ବୁଧବାର ଦିନ ଅନ୍ଦୋଳନକୁ ନଜରରେ ରଖି ତ୍ରିପୁରା, ଆସାମ, ମିଜୋରାମ ଓ ମେଘାଳୟରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।
ଏହା ସହ ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲୱେର ହମସଫର ଏକ୍ସପ୍ରେସ ଓ କାଞ୍ଚନଜଙ୍ଗା ଏକ୍ସପ୍ରେସ ସମେତ ବହୁ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି । ଅନ୍ୟ ପଟେ ଆସାମର ଦିସପୁରରେ ଉତ୍ତ୍ୟକ୍ତ ଲୋକ ଏକ ବସରେ ନିଆଁ ଲଗାଇ ଦେଇଛନ୍ତି । ଗୁଆହାଟୀ ସଚିବାଳୟ ବାହାରେ ବହୁ ବିକ୍ଷୋଭକାରୀ ମାନେ ବିରୋଧ ପ୍ରର୍ଦଶନ କରୁଥିବାରୁ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି । ଏହା ସହ ଉତ୍ତର-ପୂର୍ବ ଭାରତର ବହୁ ଅଞ୍ଚଳରେ ୧୪୪ ଧାରାକୁ ଲାଗୁ କରାଯାଇଛି । କୌଣସି ଅଘଟର ନଘଟିବା ପାଇଁ ୫୦୦୦ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ଗତକାଲି ଉତ୍ତର ପୂର୍ବାଞ୍ଚଳକୁ ପଠାଯାଇଛି । ସେହି ପରି ସେନା ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।