ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବହୁ ସମୟରେ ଶ୍ରମିକ ମାନେ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି । ରାଜ୍ୟ ବାହାରକୁ ଗଲା ପରେ ସେମାନଙ୍କୁ ସେଠାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଠିକା ସଂସ୍ଥା ମାନେ ସୋମନଙ୍କୁ ଉଚିତ ପାରିଶ୍ରମିକ ନଦେଇ ଅଧିକ ସମୟ କାମ କରାନ୍ତି । ତେବେ ଗତ କିଛି ଦିନ ତଳେ ଶ୍ରୀଲଙ୍କାକୁ କାମ କରିବା ପାଇଁ ଯାଇ ସେଠାରେ ୧୧ ଜଣ ଓଡିଆ ଶ୍ରମିକ ଫସିଯାଇଥିଲେ । ଏକ ଠିକା ସଂସ୍ଥା ଦ୍ୱାରା ଏମାନେ ଶ୍ରୀଲଙ୍କା ଯାଇଥିଲେ । ସେଠାରେ ଶ୍ରମିକ ମାନଙ୍କୁ ୧୪ରୁ ୧୫ ଘଣ୍ଟା କାମ କରାଇବା ସହ ନିମ୍ନମାନର ଖାଦ୍ୟ ଦିଆଯାଉଥିଲା ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଏହା ସହ ସେମାନଙ୍କୁ ରାତିରେ ଏକ ବନ୍ଦ କୋଠରି ଭିତରେ ରଖାଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଶ୍ରମିକ ମାନେ ଗଣମାଧ୍ୟମର ସାହାଯ୍ୟରେ ରାଜ୍ୟ ପ୍ରଶାସନକୁ ଯୋଗା ଯୋଗ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସିଏମଓ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ନିଆଯାଇ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା ।
ରାଜ୍ୟସଭା ଏମପି ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଫସିଥିବା ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତବାସ ସହ କଥାବାର୍ତ୍ତା ହୋଇଥିଲେ । ତେବେ ଏହା ପରେ ୧୧ ତାରିଖ ଦିନ ୪ ଜଣ ଶ୍ରମିଙ୍କୁ ଉଦ୍ଧାର କରାଯାଥିଲା । ପରେ ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଶ୍ରମିକ ମାନେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି ।ତେବେ ଶ୍ରମିକ ମାନଙ୍କର ଉଦ୍ଧାର କାର୍ଯ୍ୟ ସରିବା ପରେ ସସ୍ମିତ ପାତ୍ର କହିଛନ୍ତି ଯେ, ଯେଉଁ ଠିକା ସଂସ୍ଥା ମାନେ ଶ୍ରମିକ ମାନଙ୍କୁ ନେଇ କାମ କରାଉଛନ୍ତି ଓ ସେମାନଙ୍କୁ ଉଚିତ ପାରିଶ୍ରମିକ, ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉନାହାନ୍ତି ସେମାନଙ୍କ ଉପରେ ଯାଞ୍ଚ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେହି ପରି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକାର ଯୋଜନାରେ ସେମାନଙ୍କୁ ନିୟୋଜିତ କରାଯିବ । ସୂଚନା ଅନୁସାରେ ଏହି ଶ୍ରମିକ ମାନଙ୍କୁ ଶ୍ରୀଲଙ୍କାର କୁରିନିଆୱାତା ନିକଟସ୍ଥତ ଏକ ସ୍ଥାନରେ ଫସିଥିଲେ । ଏହି ଶ୍ରମିକ ମାନଙ୍କୁ ଚାଲାଣ କରିବାରେ ପ୍ରକାଶ ସାମନ୍ତରାୟ ଓ ଦୀପକ ସାମନ୍ତରାୟ ମଧ୍ୟସ୍ଥତା କରିଥିବାର ଜଣାପଡିଛି ।