ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଭାଇରସ । ଏନେଇ ମେ’ ୩ ଯାଏଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏତିମଧ୍ୟରେ ଏପ୍ରିଲ ୨୦ ରୁ କଟକଣାରେ କିଛି କୋହଳ ହୋଇ ପାରେ । ମାତ୍ର ପୂର୍ବରୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବସରରେ ଇ-କମର୍ସ କମ୍ପାନୀ ଗୁଡିକ ସମସ୍ତ ସାମଗ୍ରୀ ବିକ୍ରି କରିପାରିବେ । କିନ୍ତୁ ପୁଣି ଥରେ ସରକାର ତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରିବା ସହ କହିଛନ୍ତି କି ଇ-କମର୍ଶ କମ୍ପାନୀ ଗୁଡିକ ଜରୁରୀ ସାମଗ୍ରୀକୁ ବାଦ୍ ଦେଲେ ଅନାବଶ୍ୟକୀୟ ଜିନିଷ ବିକ୍ରି କରି ପାରିବେ ନାହିଁ ।
ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, କରୋନା ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟରେ ଇ-କମର୍ସ କମ୍ପାନୀ ଗୁଡିକରେ ଅନାବଶ୍ୟକ ଜିନିଷ ଉପରେ ରୋକ୍ ଲଗାଯାଇଛି । ସେମାନେ କୌଣସି ଅନାବଶ୍ୟକୀୟ ଜିନିଷ ବିକ୍ରି କରି ପାରିବେ ନାହିଁ ।
ସରକାରଙ୍କ ଏହି ନିଷ୍ପତି ପରେ ଏବେ ଆମାଜନ୍ ଫ୍ଲିପକାର୍ଟ ସମେତ ଅନ୍ୟ ଇ-କମର୍ସ କମ୍ପାନୀ ଗୁଡିକ ତାଙ୍କ ପ୍ଲାଟଫର୍ମରେ ଜରୁରୀ ସାମଗ୍ରୀକୁ ବାଦ୍ ଦେଲେ କୌଣସି ଅନାବଶ୍ୟକ ଜିନିଷ ବିକ୍ରି କରି ପାରିବେ ନାହିଁ ।