ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାସପୋର୍ଟ ସେବା କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ଡିଜିଲକର ମଞ୍ଚ ଉଦଘାଟନ କରାଯାଇଛି । ଡିଜିଲକର ପ୍ଲାଟଫର୍ମ ଉଦଘାଟନ କରି କେନ୍ଦ୍ରୀୟ ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲିଧରନ କହିଛନ୍ତି କି, ଏହାକୁ ନାଗରିକଙ୍କ ସହଯୋଗ ପାଇଁ ଅଣାଯାଇଛି । ଏବେ ନାଗରିକଙ୍କୁ ପାସପୋର୍ଟ ପାଇଁ ଅରିଜିନାଲ ଡକ୍ୟୁମେଣ୍ଟ ସାଥୀରେ ନେଇ ଯିବାର ଆବଶ୍ୟକତା ନାହିଁ । ପାସପୋର୍ଟ ତିଆରି କରିବା ପାଇଁ ଇଛୁକ ବ୍ୟକ୍ତିଙ୍କୁ ପେପରଲେସ ସୁବିଧା ଦେଇଛନ୍ତି ବିଦେଶ ମନ୍ତ୍ରାଳୟ । ମୋଦି ସରକାର ପାସପୋର୍ଟକୁ ଡିଜିଲକର ରେ ଏକ ଡକ୍ୟୁମେଣ୍ଟ ଭାବେ ସାମିଲ କରିବା ଉପରେ ବିଚାର କରୁଛନ୍ତି ।
ଏନେଇ ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୂରଲୀଧରନ କହିଛନ୍ତି କି, ପାସପୋର୍ଟ ହଜିବା ଏବଂ ଦ୍ୱିତୀୟ ଥର ଜାରି ହେବା ସ୍ଥିତିରେ ଏହି ସେବା ଖୁବ୍ ସହାୟକ ହେବ । ଏହାବ୍ୟତିତ କେନ୍ଦ୍ରସରକାର ଇ-ପାସପୋର୍ଟ ସେବା ଆରମ୍ଭ କରିବା ଉପରେ ମଧ୍ୟ କାମ କରୁଛନ୍ତି । ଯାହାଫଳରେ ପାସପୋର୍ଟର ସୁରକ୍ଷାକୁ ଆହୁରି ବଢାଯାଇପାରେ ।
ଡିଜିଟାଲ ଲକରର ଏକ ଛୋଟ ରୂପ ହେଉଛି ଡିଜିଲକର । ଏହା ଏକପ୍ରକାରର ଭର୍ଚୁଆଲ ଲକର । ଯେଉଁଠି ଆପଣ ଆପଣଙ୍କ ଜରୁରୀ ଡକ୍ୟୁମେଣ୍ଟସ ଯେପରିକି ଏଜୁକେଶନ ସାର୍ଟିଫିକେଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର, ଲାଇଫ ଇସ୍ୟୁରାନ୍ସ ପଲିସ, ହେଲ୍ଥ ପଲିସି, ପାସପୋର୍ଟ, ପାନକାର୍ଡ ଏବଂ ଭୋଟର ଆଇଡି ଡିଜିଟାଲି ଷ୍ଟୋର କରିପାରିବେ ।