ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟକୁ ଅଧିକ ସକ୍ରିୟ କରିବା ଏବଂ ଟ୍ୟାକ୍ସ ଚୋରୀକୁ ରୋକିବା ପାଇଁ କେନ୍ଦ୍ରସରକାର ଏବଂ ଜିଏସଟି କାଉଁସିଲ ଉଭୟ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହି ଅନୁଯାୟୀ ଏବେ ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲକି ଡ୍ର ଉଠାଇବାର ଘୋଷଣା କରାଯାଇଛି । ଜିଏସଟି କାଉଁସିଲର ଚେୟାରମ୍ୟାନ୍ ଏବଂ ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏନେଇ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ୫ ହଜାରରୁ ଆରମ୍ଭ କରି କୋଟିଏ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ।
ଏହି ନିଷ୍ପତି ଜିଏସଟି କାଉଁସିଲ ବୈଠକରେ ନିଆଯାଇଛି ବୋଲି ସୁଶୀଲ ମୋଦି କହିଛନ୍ତି । ଏଥିରେ ବିଲ୍ ନେଇ ରୂପେ କାର୍ଡ ଏବଂ ୟୁପିଆଇ ଦ୍ୱାରା ଡିଜିଟାଲ ପେମେଣ୍ଟ କରି କିଣା କିଣା କରୁଥିବା ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲକି ଡ୍ର ଜରିଆରେ ପୁରସ୍କୃତ କରାଯିବ । ଏଥିରେ ୧୦୦ ରୁ ନେଇ ୧୦ ହଜାର ପର୍ଯ୍ୟନ୍ତ କିଣାକିଣି ସାମିଲ କରାଯିବ । ପ୍ରତ୍ୟେକ ମାସରେ ଏହି ଲକି ଡ୍ର ଉଠାଯିବ ।