ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫାଶୀ ନିର୍ଦ୍ଦେଶ ଦିଆଯିବା ପରେ ଦୋଷୀ ମାନେ ଏଥିରୁ ବଞ୍ଚିବା ପାଇଁ ଗୋଟିଏ ପରେ ଗୋଟିଏ ପନ୍ଥା ଆପଣାଇବାରେ ଲାଗିଛନ୍ତି । ତେବେ ଦୋଷୀ ପୱନ ଗୁପ୍ତା ଦାଖଲ କରିଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୱନ ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡ କରିବାକୁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏହି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ତେବେ ବର୍ତ୍ତମାନ ପୱନ ପାଖରେ ରାଷ୍ଟ୍ରପତିଙ୍କ ପାଖକୁ ଦୟା ଯାଚିକା ଦାଖଲ କରିବାର ବିକଳ୍ପ ରହିଛି ।
ପୂର୍ବରୁ ଅନ୍ୟ ତିନି ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ନିର୍ଭୟା ଗଣଦୁର୍ଷ୍କମ ଓ ହତ୍ୟା ମାମଲାକୁ ୭ ବର୍ଷରୁ ଅଧିକ ବିତି ଯାଇଥିଲେ ମଧ୍ୟ ଦୋଷୀ ମାନଙ୍କୁ ଦଣ୍ଡ ଦିଆ ଯାଇପାରୁ ନାହିଁ । ତେବେ ଗତ ଫେବୃଆରୀ ୧୭ ତାରିଖ ଦିନ ତଳ କୋର୍ଟ ଚାରି ଦୋଷୀଙ୍କ ଡେଥ୍ ୱାରେଣ୍ଟ ଜାରି କରି ମାର୍ଚ୍ଚ ୩ ତାରିଖ ଦିନ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ସ୍ଥିର କରିଥିଲେ । ଏହା ପୂର୍ବରୂ ୨ ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଫାଶୀ ଦିଆଯାଇପାରି ନାହିଁ ।