ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଏବେ ଭାରତରେ ଚୀନ୍ ସାମାନ ଏବଂ ନିବେଶ ଉପରେ ପ୍ରଭାବ ଦେଖିବାକୁ ମିଳିଛି । ଏଇ ନିକଟରେ ବିଏସଏନଏଲ ଏବଂ ରେଲୱେ ଦ୍ୱାରା ଚୀନ୍ କମ୍ପାନୀ ଏବଂ ଉତ୍ପାଦ ଉପଯୋଗକୁ ନେଇ ବଡ ନିଷ୍ପତି ପରେ ଏବେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପେନସନ୍ ଫଣ୍ଡକୁ ନେଇ ବଡ ପ୍ରସ୍ତାବ ଦିଆଯାଇଛି । ଏହାପରେ ପେନସନ୍ ଫଣ୍ଡ ରେ ଚୀନ୍ ନିବେଶ ଉପରେ ରୋକ ଲାଗି ପାରେ ।
ସୂଚନାଯୋଗ୍ୟ, ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଅର୍ଥମନ୍ତ୍ରାଳୟ ଶୁକ୍ରବାର ଚୀନ୍ ସମେତ ଭାରତ ସୀମା ସହ ଲାଗିଥିବା ଦେଶର ପେନସନ୍ ଫଣ୍ଡରେ ବିଦେଶୀ ନିବେଶ ଉପରେ ପ୍ରତିବନ୍ଧ ଲଗାଇବାର ପ୍ରସ୍ତାବ ଦେଇଛି । ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ ଅନୁଯାୟୀ ପେନସନ୍ ଫଣ୍ଡରେ ଅଟୋମେଟିକ ରୁଟ୍ ଦ୍ୱାରା ୪୯ ପ୍ରତିଶତ ବିଦେଶୀ ନିବେଶର ଅନୁମତି ରହିଛି ।
ଏହି ସନ୍ଧର୍ଭରେ ଜାରି ଅଧିସୂଚନା ଅନୁସାରେ ଚୀନ ସମେତ ଭାରତ ସୀମା ସହ ଲାଗିଥିବା ଯେକୌଣସି ବି ଦେଶର ଯେକୌଣସି ବ୍ୟକ୍ତିଙ୍କ ନିବେଶ ପାଇଁ ସରକାରଙ୍କ ମଞ୍ଜୁରୀର ଆବଶ୍ୟକ ହେବ । ଅନ୍ୟ ଦେଶ ଗୁଡିକର ଯେକୌଣସି ବି ବିଦେଶୀ ନିବେଶ ଉପରେ ଏବେ ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରିବ ।
ଭାରତ ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି ହେବା ପରଠାରୁ ଏହି ପ୍ରତିବନ୍ଧ ଲାଗୁ ହେବ । ପ୍ରସ୍ତାବିତ ପରିବର୍ତ୍ତନ ଔଦ୍ୟୋଗିକ ସମ୍ବର୍ଦ୍ଧନ ଏବଂ ଆନ୍ତରିକ ବେପାର ବିଭାଗ ର ଏପ୍ରିଲ ରେ ଜାରି ଦିଶା ନିର୍ଦ୍ଦେଶର ଅନୁରୂପ ।