ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଦିଆଯାଇଛି । ପାଶୱାନଙ୍କ ଦେହାନ୍ତ ପରେ ପଦ ଖାଲି ପଡିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦାୟିତ୍ୱ ପିୟୁଷ ଗୋୟଲଙ୍କୁ ଦଇଛନ୍ତି ।
ରାଷ୍ଟ୍ରପତି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ମିଳିଛି । ଏବେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ନିକଟରେ ରେଳ ମନ୍ତ୍ରାଳୟ, ବାଣିଜ୍ୟ-ଉଦ୍ୟୋଗ ମନ୍ତ୍ରାଳୟ ଏବଂ ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରାଳୟର ଅତିରିକ୍ତ କାର୍ଯ୍ୟଭାର ହୋଇଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ଘଟିଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଗତକାଲି ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏନେଇ ତାଙ୍କ ପୁଅ ଟ୍ୱିଟ କରି ସୂଚନା ଦେଇଥିଲେ ।