ଗାନ୍ଧୀନଗର(ଏଟିଆର ବ୍ୟୁରୋ): ଗୁଜୁରାଟର ଗାନ୍ଧୀନଗରେ ଗ୍ଳୋବାଲ ପଟାଟୋ କନକ୍ଳେଭରେ ଯୋଗ ଦେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣ ରଖିଛନ୍ତି ।
ଦେଶର କୃଷକମାନଙ୍କର ଅବଦାନକୁ ପ୍ରଶଂସା କରିବା ସହିତ କୃଷକମାନଙ୍କ ଯୋଗୁଁ ହିଁ ସାଧାରଣ ମଣିଷକୁ ଖାଦ୍ୟ ମିଳିପାରୁଛି ବୋଲି ମୋଦୀ କହିଛନ୍ତି ।
ଏଥି ସହିତ ପ୍ରଧାନମନ୍ତ୍ରୀ କୃଷକମାନଙ୍କର ଆୟ ବଢାଇବାର ସଂକ୍ଳପ ମଧ୍ୟ କରିଛନ୍ତି । କୃଷକ ମାନଙ୍କର ଆୟ ଆସନ୍ତା ୨୦୨୨ ଶୁଦ୍ଧା ଦ୍ୱିଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।
କୃଷକମାନଙ୍କର ପ୍ରୟାସ ଓ ସରକାରୀ ଯୋଜନା ଗୁଡିକର ସଫଳ ପ୍ରୟୋଗ ହିଁ ଭାରତର କୃଷିରେ ଉନ୍ନତି ଆଣିବାରେ ବଡ ଭୂମିକା ଗ୍ରହଣ କରିଛି । ଏହାର ଫଳ ସ୍ୱରୁପ ସାରା ବିଶ୍ୱରେ ଭାରତ କୃଷିରେ ଶ୍ରେଷ୍ଠ ତିନି ଦେଶ ମଧ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରେ କହିଛନ୍ତି ।