ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ) ର ଶୁଭାରମ୍ଭ କରିଛନ୍ତି । ଏନଡିଏଚଏମ ଅନ୍ତର୍ଗତ ପ୍ରତ୍ୟେକ ଭାରତୀୟଙ୍କୁ ଏକ ୟୁନିକ ଡିଜିଟାଲ ହେଲ୍ଥ କାର୍ଡ ମିଳିବ ଏବଂ ଏହାଦ୍ୱାରା ଦେଶରେ ଏକ ଡିଜିଟାଲ ହେଲ୍ଥ ସିଷ୍ଟମ ପ୍ରସ୍ତୁତ କରାଯାଇ ପାରିବ ।
ଗତବର୍ଷ ଅଗଷ୍ଟ ୧୫ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରେ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଟଲ ଯୋଜନା ଘୋଷଣା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନାକୁ ଛଅଟି କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯାଇଥିଲା କିନ୍ତୁ ଏବେ ଏହାକୁ ସାରା ଦେଶରେ ଆରମ୍ଭ କରାଯାଇଛି ।
ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ କୁ ଲଞ୍ଚ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଏକବିଂଶ ଶତାଦ୍ଦୀରେ ଆଗକୁ ବଢିବାରେ ଭାରତ ପାଇଁ ଆଜିର ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗତ ୭ ବର୍ଷରୁ ଦେଶର ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ଯେଉଁ ଅଭିଯାନ ଚାଲି ଆସୁଛି, ତାହା ଆଜି ଏକ ନୂତନ ପ୍ରର୍ଯ୍ୟାୟରେ ପ୍ରବେଶ କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆଜିଠୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମଧ୍ୟ ସାରା ଦେଶରେ ଆରମ୍ଭ କରାଯାଉଛି । ଏହି ମିଶନ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କ ଚିକିତ୍ସାରେ ଉପୁଜୁଥିବା ସମସ୍ୟାକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ।