ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ); ଚାଷୀ ଋଣଛାଡ କରିବା ପାଇଁ ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତିଶୃତି ଦେଇଥିଲେ । ୧୦ ଦିନ ଭିତରେ ରାଜ୍ୟରେ ଚାଷୀଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିଲେ ରାହୁଲ । ହେଲେ ସରକାର ଗଢ଼ିବାର ୧୦ ଘଂଟା ବି ହୋଇନି ଏହାକୁ କାମରେ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ।
କଥା ରଖିଲେ କମଲନାଥ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ଚାଷୀଙ୍କୁ ଖୁସ କରିଛନ୍ତି ନୂଆ ସିଏମ୍ । ରାଜ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷିଋଣକୁ ଛାଡ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଆଜି ଶପଥ ଗ୍ରହଣ ପରେ ପରେ ତାହା କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ନିର୍ବାଚନ ଫଳାଫଳ ପରେ କୃଷି ଓ ନିଯୁକ୍ତିକୁ ପ୍ରାଥମିକତା ଦେବାକୁ କଥା ଦେଇଥିବା କମଲନାଥ ନିଜ କଥା ରଖି ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି ।
ମଧ୍ୟପ୍ରଦେଶରେ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷିଋଣକୁ ଛାଡ କରାଯାଇଛି । ଏନେଇ କୃଷିଋଣ ଛାଡ ଫାଇଲରେ ଦସ୍ତଖତ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ କମଲନାଥ । କମଲନାଥଙ୍କ ଏହି ପଦକ୍ଷେପ ସାରା ଦେଶର ରାଜନୈତିକ ପାଣିପାଗକୁ ବଦଳାଇଦେଇଛି । ଭାରତୀୟ ରାଜନୀତିରେ କୌଣସି ମୁଖ୍ୟମନ୍ତ୍ରୀ ଶପଥନେବା ପରେ ପରେ ସେହିଦିନ ଏମିତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ହୁଏତ ବିରଳ କିମ୍ବା ବିଲକୁଲ ନହୋଇ ପାରେ । ନିର୍ବାଚନ ପରେ ପ୍ରତିଶୃତି ଭୁଲି ଯାଆନ୍ତି ଆମ ନେତାଏ । କଣ କହିଥିଲେ କିଛି ମନେ ରୁହେନି । ହେଲେ କଥା ଦେଇ କଥା ରଖି ଜଣେ ଜନପ୍ରିୟ ସରକାର ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଦେଶକୁ ଜଣାଇ ଦେଇଛନ୍ତି କମଲନାଥ ।