ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଥାନ୍ତେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପଶ୍ଚିମ ଓଡିଶା ଗସ୍ତରେ ଯାଇ ସମ୍ବଲପୁୂର ଧନକଉଡ ପଡିଆରେ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଅମିତ ଶାହା ଦଳୀୟ କର୍ମୀଙ୍କ ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଇଥାନ୍ତେ । ଆଜିର ଏହି ସଭାରେ ଚାରିଟି ଲୋକସଭା କ୍ଷେତ୍ରର କର୍ମୀ ଏବଂ ନେତା ଯୋଗ ଦେବାର ଥିଲା । ତେବେ ଜମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣ କାରଣରୁ ୪୦ ଜଣ ଯବାନ ସହୀଦ ହୋଇଛନ୍ତି । ଏଣୁ ଆଜି ଅମିତ ଶାହା ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦେଇଛନ୍ତି ।
ଗୁରୁବାର ସାଢ଼େ ତିନିଟା ସମୟରେ ଆତଙ୍କବାଦୀମାନେ ଏକ ବଡ ଧରଣର ବିସ୍ଫୋରଣ କରିଥିଲେ । ତେବେ ପ୍ରଥମେ ୧୨ଜଣ ସହୀଦ ହୋଇଥିବା ବେଳେ ପରେ ଆହୁରି ସହୀଦଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହି ବିସ୍ଫୋରଣ ଉରି ପରେ ଆତଙ୍କବାଦିଙ୍କ ଦ୍ୱିତୀୟ ବଡ ବିସ୍ଫୋରଣ । ଏହି ଆତଙ୍କବାଦୀ ସଂଗଠନ ‘ଜୈଶ ଏ ମହମ୍ମଦ’ ଏହି ଆକ୍ରମଣ କରିଛି । ଏକ ବିସ୍ଫୋରକ ବୋଝେଇ ଭ୍ୟାନ୍, ସିଆର୍ପିଏସଫ ଯବାନ ବସିଥିବା ବସ୍ରେ ଆଜି ଧକ୍କା ଦେଇଥିଲା । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ପାଖାପଖି ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା ।
ସେପଟେ ଏହି ବିସ୍ଫୋରଣରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସେଲିବ୍ରେଟିମାନେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ତେବେ ଅମିତ ଶାହାଙ୍କ ଗସ୍ତ ବାତିଲ ହେବା ପରେ ଦଳୀୟ କର୍ମୀଙ୍କ ମନ ଟିକେ ଦୁଃଖ ହୋଇ ଯାଇଛି । ପୂର୍ବରୁ ମଧ୍ୟ ଅମିତ ଶାହା ଓଡିଶା ଆସିବାର ଥିଲା ମାତ୍ର ସେ ସ୍ୱାଇନଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଗସ୍ତ ବାତିଲ ହୋଇଥିଲା । କିନ୍ତୁ ଏହି ମାସେ ମଧ୍ୟରେ ତିନଥର ଓଡିଶା ଆସି ସାରିଛନ୍ତି ଶାହା । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।