ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ମୋଦିଙ୍କ ରାସ୍ତାରେ କଣ୍ଟା ହେବେ ନାଇଡୁ । ଅତିଶିଘ୍ର ଗଠନ ହୋଇପାରେ ମହାମେଣ୍ଟ । ଚର୍ଚ୍ଚାରେ ଚନ୍ଦ୍ରବାବୁ ନାଇଡୁଙ୍କ କସରତ । ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟିଚାଲିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଦେଶରେ ମହାଗଠବନ୍ଧନର ଆଭାସ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଦିଚ୍ୟୂତ ଲକ୍ଷ୍ୟରେ ଚନ୍ଦ୍ରବାବୁ ଜୋରସୋର ଚେଷ୍ଟା ଚଳାଇଛନ୍ତି । ଏଥିପାଇଁ ସେ ରଣନୀତି ପ୍ରସ୍ତୁତ କରି ସମସ୍ତ ଅଣ ବିଜେପି ଦଳ ଗୁଡିକୁ ଏକାଠୀ କରିବାରେ ଲାଗିଛନ୍ତି ।
ଏନେଇ ଆସନ୍ତା ୨୨ ତାରିଖରେ ସମସ୍ତ ଅଣ ବିଜେପି ଦଳ ଗୁଡିକର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଟିତ ହେବ ବୋଲି ଜଣାପଡିଛି । ଯେଉଁଥିରେ ଦେଶର ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ସ୍ଥରର ବହୁ ବଡ ବଡ ଦଳର ନେତା ମାନେ ଭାଗ ନେବେ । ଏହି ବୈଠକରେ ମୋଦି ସରକାରଙ୍କ ଠାରୁ ଶାସନ ଗାଦିକୁ ଛଡାଇ ଆଣିବା ଲାଗି ରଣନୀତି ଚୁଡାନ୍ତ ହେବ ।
ସୂଚନା ଯୋଗ୍ୟ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହାସନରୁ ହଟାଇବା ପାଇଁ ଆନ୍ଧ୍ରପ୍ର୍ଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଦୀର୍ଘଦିନ ହେବ ପ୍ରଚେଷ୍ଠା ଜାରି ରଖିଛନ୍ତି । ଏଥିପାଇଁ ପ୍ରସ୍ତୁତି କ୍ରମେ ବିଭିନ୍ନ ରାଜ୍ୟର ବଡ ବଡ ଦଳ ଗୁଡିକର ନେତା ମାନଙ୍କୁ ଭେଟିଚାଲିଛନ୍ତି ନାଇଡୁ । ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତୀ ଠାରେ ବରିଷ୍ଠ କଂଗ୍ରେସ ଅଶୋକ ଗେହଲଟ ଶ୍ରୀ ନାଇଡୁଙ୍କୁଭେଟିଛନ୍ତି ।
ଏଥିରେ ମୋଦିଙ୍କୁ ଘେରିବାକୁ ଅଣ ବିଜେପି ମୋର୍ଚ୍ଚା ଗଠନ ନିମନ୍ତେ ଆଲୋଚନା ହୋଇଛି । ସେହିଭଳି ପୂର୍ବରୁ ନାଇଡୁ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିସାରିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ନାଇଡୁ ଭେଟି ମହାମେଣ୍ଟ ପାଇଁ ଆଲୋଚନା କରିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ମଧ୍ୟ ଶ୍ରୀ ନାଇଡୁ ସାକ୍ଷାତ କରିସାରିଛନ୍ତି ।
ତେବେ ଏସବୁ ଆଲୋଚନାରୁ ଅଣ ବିଜେପି ଦଳମାନଙ୍କୁ ନେଇ ମହାମେଣ୍ଟ ଆଭାସ ମିଳୁଥିବାର ମଧ୍ୟ ଦେଖାଯାଉଛି । ମୋଦିଙ୍କୁ ହଟାଇବା ଲାଗି ଶ୍ରୀ ନାଇଡୁ ଦୀର୍ଘ୍ ଦିନରୁ ପ୍ରୟାସ ଜାରିରଖିଛନ୍ତି । ଏହି କ୍ରମରେ ସେ ଗୋଟିଏ ପରେ ଗୋଟିଏ ରାଜନେତାଙ୍କ ସହ ସାକ୍ଷାତ ଚଳାଇଛନ୍ତି । ତେବେ ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଅଣ ବିଜେପି ଦଳ ଗୁଡିକ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବେ । ଏହାପରେ ଦେଶରେ ଅଣ ବିଜେପି ଦଳ ଗୁଡିକୁ ନେଇ ମହାମେଣ୍ଟର ଗଠନ ହେବ କି ନାହିଁ ସେ ବିଷୟରେ ବାଟ ପରିସ୍କାର ହେବ ।