ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା । ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ମଧ୍ୟ ଘନ ଘନ ଓଡିଶା ଗସ୍ତରେ ଆସୁଥିଲେ ମାଳ ମାଳ କେନ୍ଦ୍ରୀୟ ନେତା । ମୁଖ୍ୟତଃ ବିଜେପି ନେତାମାନେ ଅଧିକାଂଶ ସମୟ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାର ଏବଂ କଂଗ୍ରେସ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି । ମାତ୍ର ୩ଦିନ ବ୍ୟବଧାନରେ ଦୁଇଥର ଓଡିଶା ଗସ୍ତରେ ଆସିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ଆସନ୍ତା ୨୯ ତାରିଖରେ ଜୟପୁର ଗସ୍ତରେ ଆସିବେ ଏବଂ ଏହାପରେ ଏପ୍ରିଲ ପହିଲାରେ କଳାହାଣ୍ଡି କାଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ପଶ୍ଚିମ ଓଡିଶା ଗସ୍ତରେ ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହା ପଛରେ ଲୁଚି ରହିଛି ଏକ ଇଙ୍ଗ କାରଣ । ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ୁଛନ୍ତି । ଏଣୁ ସେଠାରେ ଲୋକଙ୍କ ପରିବର୍ତ୍ତନ କରିବା ପାଇଁ ବିଜେପି ମୁଖ୍ୟ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଦୁଇଥର ପଶ୍ଚିମ ଓଡିଶା ଗସ୍ତରେ ଆସି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କ ଉପରେ ବର୍ଷିଥିଲେ । ଏଣୁ ଏଠାକାର ଭୋଟରଙ୍କୁ ମନେଇବା ପାଇଁ ମୋଦି ପଶ୍ଚିମ ଓଡିଶାକୁ ବାଛିଥିବା ଚର୍ଚ୍ଚା ହେଉଛି । ସେ ଯାହାବି ହେଉ ନିର୍ବାଚନ ପୂର୍ବରୁ ମୋଦିଙ୍କ ଓଡିଶା ଗସ୍ତ ଦଳ ପାଇଁ ଶୁଭ ସଙ୍କେତ । ଦଳୀୟ କର୍ମୀମାନେ ଗୁରୁ ମନ୍ତ୍ର ପାଇବା ପାଇଁ ଏକ ଉଚିତ ସମୟ ବୋଲି ମଧ୍ୟ ଶୁଣିବାକୁ ମିଳିଛି ।