ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ବିବାଦ ଥମିବାର ନାଁ ଧରୁନି । ଏବେ ମୁମ୍ବାଇର ଅଟଳ ବିହାରୀ ଦୁବେ ନାମକ ଜଣେ ଓକିଲ ଆଜାଦ ମୈଦାନ ପୋଲିସ ଥାନାରେ ରାହୁଲଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି । ଖବରମୁତାବକ ଜୁନ୍ ୨୧ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ଡଗ୍ ସ୍କ୍ୟାର୍ଡ ଯୋଗ କରୁଥିବାର ଏକ ଫଟୋ ରାହୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଯାହାକୁ ନେଇ ରାହୁଲଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି ।
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରରେ ସେନାର ‘ଡଗ୍ ୟୁନିଟ୍’ ର ଏକ ଯୋଗ କାର୍ଯ୍ୟକ୍ରମର ଫଟୋ ସେୟାର କରିଥିଲେ ଏବଂ ‘ନ୍ୟୁ ଇଣ୍ଡିଆ’ ବୋଲି ଲେଖିଥିଲେ । ସେ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଡଗ୍ ୟୁନିଟ୍ ରେ ଜଡିତ ସେନାଙ୍କ ସମେତ କୁକୁର ବି ଯୋଗାସନ କରୁଥିବାର ମୁଦ୍ରାରେ ନଜର ଆସିଥିଲା ।
ସେପଟେ ଫଟୋ ସେୟାର କରି ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାରର ହୋଇଛନ୍ତି ରାହୁଲ । ରାହୁଲଙ୍କୁ ଟାର୍ଗେଟ କରି ବିଜେପି ପକ୍ଷରୁ କୁହାଯାଇଥିଲା କି କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଜୀବନର ଅର୍ଥ କେବଳ ହିଂସା ଏବଂ ମଜାକ ।
ଏହି ମାମଲାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି କହିଛନ୍ତି , ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି ଏହି କୁକୁର ବି ଭାରତୀୟ ସେନାରେ ସାମିଲ ଏବଂ ସେ ଦେଶକୁ ରକ୍ଷା କରିବାରେ ଯୋଗଦାନ ଦେଇଥାନ୍ତି । ଯେତେବେଳେ କୌଣସି ବ୍ୟକ୍ତି ଲଗାତର ଭାବେ ଆମ ସେନାକୁ ନେଇ ଅପମାନ କରନ୍ତି ସେତେବେଳେ ଏତିକି ହିଁ କହିବି ଭଗବାନ୍ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।
ସେହିପରି ବିଜେପି ନେତା ନଳୀନ କୋହଲି କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରା ନୂତନ ଭାରତ ଗଢି ଉଠିଛି ଏବଂ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ରୁ ଖୁଲାସା ହୋଇଛି କି ତାଙ୍କ ଜରିଆରେ ନୂଆ କଂଗେସ ଗଠିତ । ରାହୁଲ ଗାନ୍ଧୀଙ୍କ ପାଇଁ ଜୀବନ ଗୋଟେ ମଜାକ ଏବଂ ସେ ସେହିଭଳି ପୋଷ୍ଟ କରିବା ପାଇଁ ମଉକା ଖୋଜୁଥାନ୍ତି ।