ପାଟଣା(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଚିଠି ଲେଖିଛନ୍ତି । ନୀତିଶ କୁମାର ଲେଖିଥିବା ଏହି ଚିଠିରେ ପର୍ଣ୍ଣ ସାଇଟ ଓ ଇଣ୍ଟରନେଟରେ ଅଶ୍ଲିଳ ସାମଗ୍ରୀ ଉପରେ କଟକଣା ଲଗାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବୀ କରିଛନ୍ତି । ତେବେ କିଛି ଦିନ ପୂର୍ବ ନୀତିଶ କୁମାର ଦେଶରେ ହେଉଥିବା ଦୁଷ୍କର୍ମ ପାଇଁ ପର୍ଣ୍ଣ ସାଇଟକୁ ଦାୟି କରିଥିଲେ । ନୀତିଶ କୁମାରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସେ ଚିଠିରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଗତକିଛି ଦିନ ହେବ ମହିଳାଙ୍କ ସହିତ ଘଟିତ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଭାରତ ବାସୀଙ୍କୁ କଠୋର ଆଘାତ ଦେଇଛି । ଏଭଳି ଘଟଣା ପ୍ରାୟ ସବୁ ରାଜ୍ୟରେ ଘଟୁଛି, ଯାହାକି ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ।
ନୀତିଶ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଇଣ୍ଟରନେଟ ଉପରେ ଲୋକଙ୍କ ଅସୀମିତ ବ୍ୟବହାର ଯୋଗୁଁ ଶିଶୁ ଓ ଯୁବପୀଢି ଅଶ୍ଲିଳ, ହିଂସକ ଓ ଅନୁଚିତ ସାମଗ୍ରୀ ଦେଖୁଛନ୍ତି । ଯାହାକୁ ଶିଶୁ ଓ ଯୁବ ପିଢି ମାନଙ୍କ ପରେ ଖରାପ ପ୍ରଭାବ ପକାଉଛି । ସେ ଲେଖିଛନ୍ତି ଯେ, ଅନେକ ମାମଲାରେ ଦୁଷ୍କର୍ମ ଘଟଣାର ଭିଡିଓ ପ୍ରସ୍ତୁତ କରାଯାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଫଳରେ ଏହାକୁ ଇଣ୍ଟରନେଟ ମାଧ୍ୟମରେ ଶିଶୁ ଓ ଯୁବପିଢି ମାନେ ଦେଖୁଛନ୍ତି । ଯାହାକି ସେମାନଙ୍କ ମସ୍ତିସ୍କକୁ ଏକ ପ୍ରକାରର ବିକୃତ କରୁଛି । ତେଣୁ ନୀତଶ କୁମାର ପର୍ଣ୍ଣ ସାଇଟ ଓ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଦାବୀ କରିଛନ୍ତି ।