ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରୂପେ ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ତାଙ୍କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସି ପ୍ରବୀଣ କୁମାର ଶପଥ ଗ୍ରହଣ କରାଇଛନ୍ତି ।
ରାଜଭବନ ଠାରେ ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହାନ ରେଡ୍ଡୀ, କ୍ୟାବିନେଟ୍ ସଦସ୍ୟ, ବିଧାନସଭା ବାଚସ୍ପତି ତାମିନେନି ସୀତାରାମ, ତେଲୁଗୁ ଦେଶମ ପାର୍ଟି ଟିଡିପି ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ମନ୍ତ୍ରୀ ଓ ନେତା ମାନେ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ବିଶ୍ୱଭୂଷଙ୍କ ଶପଥ ଗ୍ରହଣ ପାଇଁ ଆନ୍ଧ୍ରପ୍ରଦେଶ ବିଧାନ ସଭା ଆରମ୍ଭ ହୋଇ କିଛି ସମୟ ପ୍ରଶ୍ନ କାଳ ପରେ ସ୍ଥଗିତ କରାଯାଇଥିଲା । ଏହାକୁ ପ୍ରାୟତଃ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ବିଶ୍ୱଭୂଷଣ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ । ପ୍ରଥମ ଥର ପାଇଁ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ସେ ଓଡିଶା ରାଜନୀତି ସହ ଦୀର୍ଘ ଦିନ ହେଲା ଜଡିତ ଅଛନ୍ତି । ବିଜେପି-ବିଜେଡି ସରକାର ସମୟରେ ସେ ଅନେକ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । ରାଜ୍ୟର ରାଜସ୍ୱ, ଆଇନ, ଶିଳ୍ପ ଭଳି ବହୁ ବିଭାଗର ଗୁରୁ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ପାଞ୍ଚଥର ଓଡିଶା ବିଧାନସଭାର ସଦସ୍ୟ ହୋଇଛନ୍ତି । ଜନତା ଦଳରୁ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ବିଜେପିରୁ ତିନି ଥର ନିର୍ବାଚିତ ହୋଇଥିଲେ ।