ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରି ପଡିଲା ମହିଳାଙ୍କ ଉପରେ ଆକ୍ରମଣ କରିବା । ଏବେ ନିର୍ବାଚନ ଲଢିବାପାଇଁ ସମସ୍ତ ଦଳର ପ୍ରାର୍ଥୀ ଅଣ୍ଟା ଭିଡିଥିବା ବେଳେ, ସେପଟେ ବିଜେପିର ଜଣେ ଲୋକସଭା ପ୍ରାର୍ଥୀ ଜେଲ ଯାଇଛନ୍ତି । ଆଜ୍ଞା ହଁ ସାବରିମାଳାର ଜଣେ ମହିଳା ଭକ୍ତଙ୍କୁ ଆକ୍ରମଣ କରିବା ଅଭିଯୋଗରେ କୋଝିକୋଡର ବିଜେପି ଲୋକସଭା ପ୍ରାର୍ଥୀ ପ୍ରକାଶ ବାବୁଙ୍କୁ ଗୁରୁବାର ଅଦାଲତ ପକ୍ଷରୁ ଜେଲ ପଠାଯାଇଛି । ଯାହାକୁ ନେଇ ଏବେ ବିଜେପିକୁ ଝଟକା ଲାଗିଛି ।
ଗତ ବର୍ଷ ନଭେମ୍ବର ମାସରେ ସାବରିମାଳାରେ ଜଣେ ମହିଳା ଭକ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଉପରେ ସାମରିମାଳା ମନ୍ଦିର ସମସ୍ତ ବୟସର ମହିଳାଙ୍କ ପାଇଁ ଖୋଲା ଯିବାର ବିରୋଧ ପ୍ରଦର୍ଶନରେ ସାମିଲ ରହିବା ମାମଲାରେ ପ୍ରକାଶ ବାବୁ ଜାମିନ ପିଟିସନ୍ ଦାଖଲ କରିଥିଲେ ।
ଭାରତୀୟ ଜନତା ଯୁବା ମୋର୍ଚ୍ଚା ର ରାଜ୍ୟ ଅଧ୍ୟକ୍ଷ ହେଉଛନ୍ତି ପ୍ରକାଶ ବାବୁ । ରିପୋର୍ଟ ମୁତାବକ, କୋଝିକୋଡ ଲୋକସଭା ନିର୍ବାଚନ କ୍ଷେତ୍ରରେ ଗୁରୁବାର ପ୍ରକାଶ ବାବୁ ପ୍ରଚାର ଆରମ୍ଭ କରିଥିଲେ । ଇତି ମଧ୍ୟରେ ସେ ପମ୍ବା ପୋଲିସ ଥାନାରେ ହାଜର ହୋଇଛନ୍ତି । ଯେଉଁଠି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରାଇଥିଲେ । ସେଠାରେ କୋର୍ଟ ପ୍ରକାଶଙ୍କୁ ଜାମିନ୍ ଦେଇନଥିଲା ଏବଂ ୧୪ ଦିନ ପାଇଁ ଜୁଡିସିଆଲ ଅଧିନକୁ ପଠାଇ ଦେଇଛି ।