ନୂଆଦିଲ୍ଲୀ,(ଅଟିଆର ବ୍ୟୁରୋ): ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଦଖଲ ପାଇଁ ବିଜେପି ରଖିଥିବା ଲକ୍ଷ୍ୟ ଧୀରେଧୀରେ ପୂରଣ ହେବାକୁ ଯାଉଛି । ଅରୁଣାଚଳପ୍ରଦେଶ, ଆସାମ ଓ ମଣିପୁରରେ କଳବଳେ ସରକାର ଗଠନ କରିଥିବା ବିଜେପି ଏବେ ତ୍ରିପୁରାରେ ସରକାର ଗଠନ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି । ବିଜେପି ତ୍ରିପୁରାରେ ୪୩ଟି ଆସନ ପାଇଥିବା ବେଳେ ପୂର୍ବରୁ କ୍ଷମତାରେ ଥିବା ବାମଦଳ ୧୬ଟି ଆସନ ପାଇଛି ।
ତ୍ରିପୁରା ଓ ଉତ୍ତର-ପୂର୍ବାଂଚଳରେ ଜନତାଙ୍କ ସ୍ୱାର୍ଥର ଲଢେଇ ପାଇଁ ସାଧାରଣ ଜନତା ବିଜେପିକୁ ଶୂନରୁ ବିଜୟର ମୁକୁଟ ପିନ୍ଧାଇବା ଭଳି ୨୦୧୯ ରେ ଓଡ଼ିଶାରେ ମଧ୍ୟ @BJP4Indiaକୁ ଦେବେ ବିଜୟର ତିଳକ : ଶ୍ରୀ @jualoram pic.twitter.com/61N3fXWdZe
— BJP Odisha (@BJP4Odisha) March 4, 2018
ସେହିପରି ନାଗାଲ୍ୟାଣ୍ଡରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନଥିଲେ ହେଁ ଅନ୍ୟଦଳ ସହ ମେଣ୍ଟ କରି ସରକାର ଗଠନ କରିବ । ପୁନଶ୍ଚ ମେଘାଳୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ନଥିଲେ ହେଁ ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସକୁ ମଧ୍ୟ ଏକାକୀ ସଂଖ୍ୟା ସରକାର ଗଠନ କରିବାକୁ ଦେଇନାହିଁ । ମେଘାଳୟରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ୩୧ଟି ଆସନରେ କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବିଜୟୀ ହୋଇପାରି ନାହାନ୍ତି । କଂଗ୍ରେସ ୨୧ଟି ଆସନରେ ସୀମତି ରହିଛି । ଗତ ନିର୍ବାଚନରେ କଂଗ୍ରେସ ଏଠାରେ ୨୮ଟି ଆସନରେ ବିଜୟୀ ହୋଇଥିଲା । କହିବାକୁ ଗଲେ ଏବେ ଦେଶ ବିଜେପିର ଗେରୁଆ ରଙ୍ଗରେ ରଙ୍ଗିନ୍ ହେବାରେ ଲାଗିଛି ।
୨୦୧୪ରେ କେନ୍ଦ୍ରରେ କ୍ଷମତା ପରେ ବିଜେପି ଭାରତ ଦଖଲ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ଏବେ ସେ ଦିଗରେ ଅଗ୍ରସର ହେବାରେ ଲାଗିଛି । ୨୦୧୪ରେ ଦଳ ମାତ୍ର ୭ଟି ରାଜ୍ୟରେ କ୍ଷମତା ଦଖଲ କରିଥିବା ବେଳେ ଏବେ ତାହା ୨୦ଟି ରାଜ୍ୟରେ ପହଞ୍ଚିଛି । ଏହା ସହ କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଦଳ ଦେଖିଥିବା ସ୍ୱପ୍ନ କେତେକାଂଶରେ ସାକାର ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
ଓଡ଼ିଆ ଲୋକମାନେ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି @BJP4Indiaକୁ ବିଜେଡିର ଏକମାତ୍ର ବିକଳ୍ପ ସ୍ଥାନରେ ବସିଛନ୍ତି : ଶ୍ରୀ @jualoram pic.twitter.com/9H2E8uWx8L
— BJP Odisha (@BJP4Odisha) March 4, 2018
ଦେଶର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ବିଜେପି ୨୦ଟି ଅଞ୍ଚଳରେ ନିଜ ସରକାର ଗଠନ କରିବାରେ ସମର୍ଥ ହୋଇଛି । କେଉଁଠି ବିଜେପି ଏକାକୀ ସରକାର ଗଠନ କରିବାରେ ସମର୍ଥନ ହୋଇଥିଲା ବେଳେ ଆଉ କେଉଁଠି ଅନ୍ୟଦଳକୁ ସାଥୀ କରି ସରକାର ଗଠନ କରିବାରେ ସକ୍ଷମ ହୋଇଛି । ଏବେ କେବଳ ବିଜେପ ହାତରେ ମେଘାଳୟ, ତାମିଲନାଡୁ (ଏ ଆଇଏଡିଏମକେ), କେରଳ(ଏଲ୍ଡିଏଫ୍), ତେଲେଙ୍ଗାନା(ଟିଆର୍ଏସ୍), ଓଡ଼ିଶା (ବିଜେଡି), ପଞ୍ଜାବ(କଂଗ୍ରେସ), ମିଜୋରାମ (କଂଗ୍ରେସ) ଓ ପଶ୍ଚିମବଙ୍ଗ (ଟିଏମ୍ସି) ନାହିଁ । ଏହାବାଦ୍ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଚିତ ପୁଡ଼ୁଚେରୀ (କଂଗ୍ରେସ) ଓ ଦିଲ୍ଲୀ(ଆପ୍)ରେ ମଧ୍ୟ ଅଣ ବିଜେପି ସରକାର ରହିଛି । ଏଇ ବର୍ଷ ଶେଷ ଆଡ଼କୁ କର୍ଣ୍ଣାଟକ ଓ ମିଜୋରାମରେ ଭୋଟ୍ ଗ୍ରହଣ ହେବ । ଏଠାରେ କ୍ଷମତା ଦଖଲ ପାଇଁ ବିଜେପି ଏବେଠାରୁ ତା’ର ରଣନୀତିକୁ ସୁଦୃଢ଼ କରିବାରେ ଲାଗିଛି । ଯଦି ଏହି ଦୁଇ ରାଜ୍ୟରେ ବିଜେପି ଜିତିବ, ତା’ହେଲେ ଦଳ ଭାରତ ଦଖଲ ସ୍ୱପ୍ନ ଆହୁରି ମଜଭୁତ ହୋଇପାରିବ ।