ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ସମସ୍ତ ଦଳ ନିଜର ରଣ କୌଶଳ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତ । ତେବେ ଏଥିରୁ ବାଦ ପଡିନି କଂଗ୍ରେସ । ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ମେଳରେ ଆରମ୍ଭ ହୋଇଛି ବୈଠକ । ଏଥିରେ ଆଗାମୀ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ । ଏହି ବୈଠକରେ କେନ୍ଦ୍ର ଶାସିତ ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ । ଏବଂ ସବୁ ରାଜ୍ୟର ପିସିସି ସମାପତି ଏବଂ ତୁଙ୍ଗନେତାମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡିଛି । କଂଗ୍ରେସର ଏହି ରୁଦ୍ଧଦ୍ୱାର ବୈଠକ ଉପରେ ସମସ୍ତଙ୍କ ନଜର । କାରଣ ଆଗାମୀ ନିର୍ବାଚନ ପାଇଁ କଣ ରଣ କୌଶଳ ପ୍ରସ୍ତୁତ କରିବ । ଏଣୁ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ ।
ମୁଖ୍ୟତଃ ଏହି ବୈଠକରେ ଆଗାମୀ ନିର୍ବାଚନରେ କେଉଁଠି କାହା ସହ ମେଣ୍ଟ ହେବ ଏବଂ କେଉଁଠି କାହାକୁ ପ୍ରାର୍ଥୀ ଦିଆଯିବ ସେ ଉପରେ ଆଲୋଚନା ହେବ । ଏବଂ କଂଗ୍ରେସ ସରକାରକୁ ଆସିଲେ ସର୍ବ ଭାରତୀୟ ସ୍ତରରେ ଚାଷୀ ଋଣ ଛାଡ଼ କରିବ ବୋଲି କହିଥିବାରୁ ଏହା କପରି ଲାଗୁ କରାଯାଇ ପାରିବ ସେ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। କାରଣ ନିକଟରେ ୫ଟି ରାଜ୍ୟରୁ ତିନୋଟି ରାଜ୍ୟରେ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇ କଂଗ୍ରେସ ସରକାର ଗଠନ କରିଥିଲା । ଏଣୁ ଆଗାମୀ ନିର୍ବାଚନରେ ଚାଷୀଙ୍କ ଭୋଟ ବ୍ୟାଙ୍କ ନିହାତି ଭାବରେ ଗୁରୁତ୍ୱ ଦେବେ ବୋଲି ଜଣା ପଡିଛି । ତେବେ କେବଳ ଚାଷୀ ନୁହେଁ ସମସ୍ତଙ୍କୁ ମଧ୍ୟ ଗୁରୁତ୍ୱର ସହ ନେଇ ନିର୍ବାଚନ ଜିତି ପୁନର୍ବାର କେନ୍ଦ୍ରରେ ସରକାରରେ ଆସିବା ପାଇଁ ଚେଷ୍ଟା କରିବ କଂଗ୍ରେସ ।
ଏହି କେନ୍ଦ୍ରୀୟ ବୈଠକରେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ଓଡିଶାରେ ବରିଷ୍ଠ ନେତା କଂଗ୍ରେସ ଛାଡିବା ଏବଂ କିଛି ନେତାଙ୍କୁ ତଡିବା ଲାଗି ରହିଛି । ଏଣୁ ରାହୁଲ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । କର୍ମୀଙ୍କୁ ଗୁରୁଜ୍ଞାନ ମଧ୍ୟ ଦେଇଛନ୍ତି । ତେବେ ଓଡିଶାରେ କିପରି ସମସ୍ତ ନେତା ମିଳିମିଶି ନିର୍ବାଚନ ଲଢ଼ିବେ ଏବଂ ବିଜୟ ହେବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।