ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୃହମନ୍ତ୍ରାଳୟ ପକ୍ଷରୁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ହଟାଯିବା ପରେ ବୁଧବାର କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିନା ଏସପିଜି ସୁରକ୍ଷା ରେ ସଂସଦରେ ପହଁଚିଛନ୍ତି । ଏହାପରେ ସେ ରାଜ୍ୟସଭାରେ ଗାନ୍ଧୀ ପରିବାରର ଏସପିଜି ସୁରକ୍ଷା ହଟାଯିବାର ପ୍ରସଙ୍ଗ ଉଠାଇଛନ୍ତି । ଏନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ନେତାମାନଙ୍କ ସୁରକ୍ଷାର ପ୍ରସଙ୍ଗ ପକ୍ଷପାତ ଏବଂ ରାଜନୀତିରୁ ଉପରେ ହେବା ଉଚିତ୍ ।
ଏହାର ଜବାବରେ ଜେପି ନଡ୍ଡା କହିଛନ୍ତି, ବିପଦର ଆକଳନ କରିବା ପରେ ଗୃହମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଏହି ନିଷ୍ପତି କୌଣସି ରାଜନୈତିକ ପାର୍ଟି କିମ୍ବା ନେତାଙ୍କର ନୁହେଁ ବରଂ ଏହା ଗୃହମନ୍ତ୍ରାଳୟର ନିଷ୍ପତି ।
ସୂଚନା ଯୋଗ୍ୟ,ଗୃହମନ୍ତ୍ରାଳୟ ଦ୍ୱାରା ସମୀକ୍ଷା ପରେ ଗାନ୍ଧୀ ପରିବାରର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଙ୍କ ଏସପିଜି ସୁରକ୍ଷା ହଟାଇ ଦିଆଯାଇଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ମଧ୍ୟ ଏହି ସୁରକ୍ଷା ହଟା ଯାଇଛି ।ଏହି ନେତାମାନଙ୍କୁ ଏବେ ସିଆରପିଏଫ୍ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି ।
ସିଆରପିଏଫ୍ ଅନୁସାରେ , ଗାନ୍ଧୀ ପରିବାରକୁ ଆଡଭାନ୍ସ ସେକ୍ୟୁରିଟି ଲାୟଜନ (ଏଏସଏଲ) ପ୍ରୋଟୋକଲର ସୁରକ୍ଷା ଦିଆଯାଉଛି । ଏଥିପାଇଁ ସିଆରପିଏଫ୍ ନୂତନ ବଟାଲିୟନ ପ୍ରସ୍ତୁତ କରିବ ।
ସେପଟେ ଏସପିଜି ସୁରକ୍ଷା ହଟାଇବାକୁ ନେଇ ଲୋକସଭାରେ ବି କଂଗ୍ରେସ ସଦସ୍ୟ ହଙ୍ଗାମା କରିଥିଲେ । ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ କଂଗ୍ରେସ ସଦସ୍ୟ ଏନେଇ ହଙ୍ଗାମା କରିଥିଲେ । ।