ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ସୋସିଆଲ ମିଡିଆ ପ୍ରଭାରୀ ଦିବ୍ୟା ସ୍ପନ୍ଦନା ଏବେ ଟ୍ୱିଟରରୁ କୁଆଡେ ଗାଏବ ହୋଇଯାଇଛନ୍ତି । ସେ ତାଙ୍କର ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରିଦେଇଛନ୍ତି ଏବଂ ତାଙ୍କର ସମସ୍ତ ଟ୍ୱିଟ୍ ମଧ୍ୟ ଡିଲିଟ୍ କରିଦେଇଛନ୍ତି । ଏହା ପୂର୍ବରୁ ସେ ତାଙ୍କର ବାୟୋରେ କଂଗ୍ରେସ ସୋସିଆଲ ମିଡିଆ ପ୍ରଭାରୀର ପରିଚୟ ମଧ୍ୟ ହଟାଇ ଦେଇଥିଲେ । ଏହାପରେ ଏବେ ଚାରିଆଡେ ଚର୍ଚ୍ଚା ହେଉଛି କି ସେ ତାଙ୍କର ପଦ ଛାଡି ଦେଇଛନ୍ତି । ମାତ୍ର ଏନେଇ କଂଗ୍ରେସ ପକ୍ଷରୁ କୌଣସି ସଠିକ୍ ସୂଚନା ଆସିନାହିଁ ।
ସୋସିଆଲ ମିଡିଆ ପ୍ରଭାରୀ ପଦରୁ ଦିବ୍ୟାଙ୍କୁ ହଟାଇ ଦିଆଯିବା ପାଇଁ ଦୀର୍ଘ ଦିନ ଆଗରୁ ଖବର ଶୁଣିବାକୁ ମିଳୁଥିଲା । ମାତ୍ର ପରବର୍ତ୍ତି ମୁହୁର୍ତ୍ତରେ ଦିବ୍ୟା ଏଭଳି ଖବର ପ୍ରସାରଣକୁ ଭୁଲ୍ ବୋଲି କହିଥିଲେ । ସେହିପରି କଂଗ୍ରେସର ମିଡିଆ ୱିଙ୍ଗ ପକ୍ଷରୁ ମଧ୍ୟ କୌଣସି ଔପଚାରିକ ସୂଚନା ଜାରି କରାଯାଇ ନାହିଁ ।
ସୋସିଆଲ ମିଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଫ୍ୟାନ୍ ଫଲୋଇଙ୍ଗ ବଢାଇବାର ଶ୍ରେୟ ଦିବ୍ୟାଙ୍କୁ ହିଁ ଦିଆଯାଇଥାଏ । ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ କଂଗ୍ରେସ ପକ୍ଷରୁ ଦଳର ପରିବର୍ତ୍ତନ ର ସଂକେତ ଦିଆଯାଇଛି । କଂଗ୍ରେସ କାର୍ଯ୍ୟସମିତି ବୈଠକରେ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଅଧିକୃତ ମଧ୍ୟ କରାଯାଇଛି ।