ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳ ବିଜୟ ପରେ ଏବେ ମୋଦି ସରକାର ୨ ଗଠନ ହେବ । ସେଥିପାଇଁ BIMSTEC ଦେଶକୁ ନିମନ୍ତ୍ରଣ କରାଯାଇଛି । ଏହାବ୍ୟତିତ ସମସ୍ତ ପ୍ରଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଡକାଯାଇଛି । ମୋଦି ଏବଂ ଅମିତ୍ ଶାହାଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମସ୍ତ ମନ୍ତ୍ରୀ ମାନଙ୍କ ନାଁ ମଧ୍ୟ ଫାଇନାଲ ହୋଇସାରିଛି ।
ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ସକାଳୁ ରାଜଘାଟ ଏବଂ ଅଟଳ ସ୍ମୃତିସ୍ଥଳେ ମୋଦି ପହଁଚି ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ସେପଟେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ବୈଦେଶିକ ଅତିଥିମାନେ ଦିଲ୍ଲୀରେ ପହଁଚି ଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ମିୟାମାରର ରାଷ୍ଟ୍ରପତି ବିନ ମିନ୍ତ ବି ଦିଲ୍ଲୀରେ ପହଁଚିଛନ୍ତି । ସେହିପରି ଥାଇଲାଣ୍ଡର ବିଶେଷ ରାଜଦୁତ ଗ୍ରିସଂଦା ବୁନାର୍କ ଦିଲ୍ଲୀରେ ପହଁଚିଛନ୍ତି । ଏହି ଅବସରରେ ଥାଇଲାଣ୍ଡର ଆମ୍ବାସାଡାର କହିଛନ୍ତି କି ଆମେ ଏଠାରେ ଭାରତର ଭବ୍ୟ ଲୋକତନ୍ତ୍ରକୁ ପାଳନ କରିବାକୁ ଆସିଛୁ ।
ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କଡା କଡି କରାଯିବା ସହ ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି । ଯେଉଁଥିରେ ଜାଣିବାକୁ ମିଳିଛି କି ରାଜଧାନୀର କେଉଁ କେଉଁ ରାସ୍ତା ବନ୍ଦ ରହିବ ।