ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ଘଟିଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଦିଲ୍ଲୀର ଏକ ହସ୍ପିଟାଲରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ତିନି ତିନି ଥର ବିହାରରେ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ।
ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଧନ ପରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହିତ ସେ ରାଜ୍ୟରେ ତିନି ଦିନିଆ ଶୋକ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଜଗନ୍ନାଥ ମିଶ୍ରଙ୍କୁ ରାଜକୀୟ ସମ୍ନାରେ ଶେଷ ବିଦାୟ କରାଯିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର କର୍କଟ ରୋଗ ସମେତ ଅନ୍ୟ ରୋଗରେ ବି ପୀଡିତ ଥିଲେ । ପ୍ରଫେସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଶ୍ରୀ ମିଶ୍ର । ଏହାପରେ ସେ ବିହାର ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ପ୍ରଫେସର ହୋଇଥିଲେ । ପିଲାଦିନୁ ତାଙ୍କର ରାଜନୀତି କ୍ଷେତ୍ରରେ ରୁଚି ରହିଥିଲା । ତାଙ୍କ ବଡ ଭାଇ ଲଳିତ ନାରାୟଣ ମିଶ୍ର ରାଜନୀତିରେ ଥିଲେ । ତାଙ୍କଠାରୁ ସେ ରାଜନୀତିକୁ ଯିବା ପାଇଁ ଆଗ୍ରହି ହୋଇଥିଲେ ।
ଛାତ୍ରଛାତ୍ରୀଙ୍କୁ ପଢାଇବା ସମୟରେ ସେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହାପରେ ସେ ତିନି ତିନି ଥର ରାଜ୍ୟ ମଙ୍ଗ ସମ୍ଭାଳି ଥିଲେ । ପ୍ରଥମେ ୧୯୭୫ ରୁ ୧୯୭୭, ଦ୍ୱିତୀୟରେ ୧୯୮୦ ରୁ ୧୯୮୩ ଏବଂ ତୃତୀୟରେ ୧୯୮୯ ରୁ ୧୯୯୦ । ସେହିପରି ୧୯୯୦ ମଧ୍ୟଭାଗରେ ସେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେଥିପାଇଁ ତାଙ୍କୁ ବିହାରର ବଡ ନେତା ବୋଲି ମଧ୍ୟ କୁହାଯାଏ ।