ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ୱାଗ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ଆଗାମି ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ପକ୍ଷରୁ ରୋହତକ ଆସନରୁ ସାଂସଦ ଭାବରେ ଲଢ଼ିବେ! ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ବିରୁ ଏହି ସମ୍ପର୍କରେ କୌଣସି ମତ ଦେଇ ନାହାଁନ୍ତି । ଆସନ୍ତା ନିର୍ବାଚନରେ ରୋହତକର ଲୋକସଭା ଆସନରୁ ଯଦି ବିରୁ ନିର୍ବାଚନ ଲଢ଼ନ୍ତି ତେବେ ବିଜେପିକୁ ଫାଇଦା ହେବ ବୋଲି ରାଜନୀତି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତେବେ ଷ୍ଟାର କ୍ୟାମ୍ପେନର ଭାବରେ ଦଳରେ ସାମିଲ କରିବା ପାଇଁ ଚାହୁଁଛି ବିଜେପି ।
ସୂଚନା ଯୋଗ୍ୟ, ରୋହତକ ଲୋକସଭା ଆସନଟି ସମ୍ପୂର୍ଣ୍ଣ ଭାବରେ ବିଜେପି ହାତରୁ ଖସି ଯାଇଛି । ଏଣୁ ଏଠାରେ ନିଜର ଦବଦବା ଜାହିର କରିବା ପାଇଁ ଏଠାରେ ବିରୁ ପ୍ରାର୍ଥୀ କରି ନିର୍ବାଚନୀ ବୈତରଣୀ ପାର ହେବାର ଆଶା ରଖିଛି ବିଜେପି । ୨୦୧୪ ମସିହାରେ ମୋଦି ହାୱା ବୋହୁଥିବା ବେଳେ ମଧ୍ୟ ଏଠାରେ ଏହାର କୌଣସି ପ୍ରଭାବ ପଡିନଥିଲା । ଏଠାରେ ଦୀପେନ୍ଦ୍ର ହୁଡ୍ଡା ସାଂସଦ ସିଟକୁ ହାତେଇଥିଲେ । କାରଣ ଏହି ଆସନକୁ ଜାଠ ସଂପ୍ରଦାୟଙ୍କ ଗଡ ବୋଲି କୁହାଯାଉଛି । ଏପଟେ ବିରୁ ମଧ୍ୟ ଜାଠ ସମ୍ପ୍ରଦାୟର ଲୋକ । ଏଣୁ ବିରୁଙ୍କୁ ଅସ୍ତ୍ର କରି ବିଜେପି ଏଠାରେ ସ୍ଥିତି ଜାହିର କରିବା ପାଇଁ ଚେଷ୍ଠା ଚଳାଇଛି ।
ଜାଠ ସମ୍ପ୍ରଦାୟଙ୍କ ଭୋଟ ବ୍ୟାଙ୍କ ହାତେଇବା ଏବଂ ରୋହତକରେ ବିଜୟ ବାନ ଉଠାଇବା ବିଜେପିର ଲକ୍ଷ । ଏଣୁ ବିରୁଙ୍କୁ ଏଠାରେ ପ୍ରାର୍ଥୀ ଦେବା ପାଇଁ ସ୍ୱପ୍ନ ଦେଖୁଛି ବିଜେପି । ମାତ୍ର ଏହା କେତେଦୂର ସତ୍ୟ ତାହା ଜଣା ପଡିନାହିଁ । କାରଣ ବିରୁଙ୍କର ମତ ଏବେ ସୁଦ୍ଧା ମିଳିପାରି ନାହିଁ । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ନିଜର ପତିଆରା ବଜାୟ ରଖିବା ପାଇଁ ଦଳମାନେ ନିଜର କଳ ଏବଂ ବଳ ଲଗାଇବାରେ ଲାଗିଛନ୍ତି । ତେବେ ସେ ଯାହା ବି ହେଉ ବିରୁ ଯଦି ଏଠାରେ ପ୍ରାର୍ଥୀ ହୁଅନ୍ତି ତେବେ ବିଜୟ ନିଶ୍ଚିନ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ସେହ୍ୱାଗ ଖେଳରେ ଯେମିତି ଦବବଦା ଦେଖାଉଥିଲେ । ଭାରତୀୟ ଦଳର ଜଣେ ଦକ୍ଷ ଖେଳାଳି ଭାବରେ ସେ ବେଶ ପରିଚିତ । ପ୍ରଥମରୁ ବୋଲରଙ୍କୁ ଆକ୍ରମଣ କରିବାରେ ସେ ମାହିର । ତେବେ ସେ ମଣିଷ ହିସାବରେ ମଧ୍ୟ ବହୁତ ଭଲ ବୋଲି ସମସ୍ତଙ୍କୁ ଜଣା ।